ଶ୍ରୀମଦ୍‌ ଭାଗବତ ଦ୍ୱିତୀୟ ସ୍କନ୍ଧ

 

 

 

 

 

 

 

 

 

ଶ୍ରୀମଦ୍‌ ଭାଗବତ

(ଦ୍ୱିତୀୟ ସ୍କନ୍ଧ)

ଭକ୍ତକବି ଜଗନ୍ନାଥ ଦାସ

 

ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ

ଦେବୀଂ ସରସ୍ୱତୀ ବ୍ୟାସଂ ତତୋଜୟ ମୁଦୀରୟେତ୍ ।

ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ

ଯତ୍‍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବ୍ୟ ସଂଯୁତଂ

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକାଭୁବିଭାବୁକାଃ ।

 

ପ୍ରଥମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ହରି ଚରିତ ଚିନ୍ତି ଧ୍ୟାନେ

କୋମଳ ମଧୁର ବଚନେ

ରୋମ ପୁଲକେ ନିଜ ଦେହୀ

କହନ୍ତି ରାଜା ମୁଖ ଚାହିଁ

ହେ ଭାଗ୍ୟବନ୍ତ ନୃପବର

ଗରିଷ୍ଠ ପ୍ରଶ୍ନ ଏ ତୋହର

ପଚାରୁ ଜୀବଲୋକ ହିତେ

ଯେ ପ୍ରଶ୍ନ ଅଛି ତୋର ଚିତ୍ତେ

ଏ ଆତ୍ମଜ୍ଞାନୀଙ୍କ ସମ୍ମତ

ଯେଣୁ ସଂସାରେ ଶ୍ରେଷ୍ଠ ତତ୍ତ୍ୱ

ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ

ଆଗମ ନିଗମ ଭକତେ

ସହସ୍ର ସହସ୍ର ପ୍ରକାରେ

ପ୍ରଶ୍ନ ଯେ ଅଛି ଏ ସଂସାରେ

ଇନ୍ଦ୍ରିୟ ବଶେ ଗୃହେ ଥାଇ

ଆତ୍ମାର ହିତେ ଜ୍ଞାନ ନାହିଁ

ଆୟୁଷ କ୍ଷୟ ନ ଜାଣନ୍ତି

ବିଷୟ ଅର୍ଥ ନିତ୍ୟେ ଚିନ୍ତି

ନିଦ୍ରା ହରଇ ଅର୍ଦ୍ଧବେଳ

ଅଥବା ବଧୂସଙ୍ଗ ମେଳ

ଦିବସେ ଅର୍ଥ ଚିନ୍ତାକୁଳ

କୁଟୁମ୍ବ ଭରଣେ ବ୍ୟାକୁଳ

ପୁତ୍ର କଳତ୍ର ଧନ ପାଇ

ଆନନ୍ଦେ ତାଙ୍କ ମଧ୍ୟେ ଥାଇ

ବିଷ୍ଣୁର ମାୟା ନିତ୍ୟ ଚିନ୍ତି

ନିକଟେ ମୃତ୍ୟୁ ନ ଦେଖନ୍ତି

ମରଣ ଦେଖୁଥାଇ ଡୋଳେ

ଅଜ୍ଞାନେ ଭ୍ରମେ ସୁଖଭୋଳେ

ଏଣୁ ସଂସାର ପ୍ରାଣୀଙ୍କର

ଆତ୍ମାର ଗତି ଅଗୋଚର

ଏଣୁ ସଂସାର ଭାବ ତେଜି

ଆତ୍ମାର ଗତି ଚିତ୍ତେ ଭଜି

ଯେ ହରି ସର୍ବଘଟେ ପୂରେ

ନିର୍ଲ୍ଲେପ ବାହ୍ୟ ଅଭ୍ୟନ୍ତରେ

ତାର ମହିମା ଶୁଣି କର୍ଣ୍ଣେ

ନାମକୁ ଉଚ୍ଚାରି ବଦନେ

ଏ କଥା ସାଂଖ୍ୟ ଯୋଗେ ଜାଣି

ସ୍ୱଧର୍ମ ନିଷ୍ଠା ପରିମାଣି

ଜନ୍ମର ଲାଭ ଏ ପ୍ରମାଣ

ଅନ୍ତେ ସୁମରେ ନାରାୟଣ

ପୂର୍ବେ ନିର୍ମଳ ମୁନି ଯେତେ

ତତ୍ତ୍ୱ ବିଚାରି ବେଦମତେ

ବିଧି ନିଷେଧ ଦୂର କରି

କୃଷ୍ଣର ଭାବ ହୃଦେ ଧରି

ଏଣୁ ସୁସାଧୁ ଅନୁକ୍ଷଣେ

ଗାଆନ୍ତି ଶୁଣନ୍ତି ଶ୍ରବଣେ

ଏ ଭାଗବତ ଧର୍ମବାଣୀ

ବ୍ରହ୍ମ ସମାନେ ପରିମାଣି

ଦ୍ୱାପରଯୁଗ ଆଦିକାଳେ

ମୁହିଁ ଅନେକ ଶିଷ୍ୟ ମେଳେ

ମୋର ଜନକ ବ୍ୟାସମୁନି

ତାଙ୍କର ଶିକ୍ଷା ମୁହିଁ ଘେନି

ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତ

ବିଷ୍ଣୁର ଭାବ ହେଲା ଜାତ

ନିଶ୍ଚଳ ଯୋଗେ ମନ ଥୋଇ

ଯାହା ଅଭ୍ୟାସ କରିବଇଁ

କହିବା ତୋର ଆଗେ ତାହା

ଶୁଣ ରାଜନ ପୁଣ୍ୟଦେହା

ଯେ ଭାଗବତ ବାଣୀ କର୍ଣ୍ଣେ

ଶୁଣନ୍ତି ଶ୍ରଦ୍ଧା ଅବଧାନେ

ମୁକୁନ୍ଦ ପାଦେ ତାଙ୍କ ମନ

ନିଶ୍ଚଳେ ରହେ ଦିନୁଦିନ

ନିର୍ଭୟ ପଥେ ଚିତ୍ତ ରହେ

ତାକୁ ନ ଲାଗେ ମୃତ୍ୟୁଭୟେ

ଯୋଗ ଅଭ୍ୟାସୀ ଯୋଗୀଜନେ

ଦୀର୍ଘେ ବଞ୍ଚନ୍ତି ଯୋଗଧ୍ୟାନେ

ମୁହୂର୍ତ୍ତ ମାତ୍ର କୃଷ୍ଣବାଣୀ

ଯେ ଶୁଣେ ଯେବା ମୁଖେ ଭଣି

ସେ ପ୍ରାଣୀ ଆତ୍ମାକୁ ଉଦ୍ଧାରେ

କି ଭାବ ବହୁ ସମ୍ବତ୍ସରେ

ପୂର୍ବେ ଖଟ୍ୱାଙ୍ଗ ରାଜା ଥିଲା

ସ୍ୱର୍ଗେ ଦେବଙ୍କ ହିତ କଲା

ରିପୁ ନିବାରି ଗୁରୁ ପାଶେ

ମିଳିଲା ଭକ୍ତିର ଉଶ୍ୱାସେ

ଦେବେ ବୋଇଲେ ମାଗ ବର

ତା ଶୁଣି କହେ ନୃପବର

ଆୟୁଷ ଅଛି ମୋର କେତେ

ଦେବେ କହିଲେ ଶାସ୍ତ୍ରମତେ

ମୁହୂର୍ତ୍ତେ ଅଛି ତୋ ଜୀବନ

ତା ଶୁଣି ସନ୍ତୋଷ ତା ମନ

ବୋଲଇ ବରେ କାର୍ଯ୍ୟ ନାହିଁ

କ୍ଷୀଣ ଆୟୁଷ ମୋର ଦେହୀ

ତକ୍ଷଣେ ଆସି ମହୀତଳେ

ଭଜିଲେ ଅକିଞ୍ଚନ ମେଳେ

ମୁହୂର୍ତ୍ତେ ନାମ ଉଚ୍ଚାରିଲା

ଅନ୍ତେ ସେ ଗୋବିନ୍ଦେ ପଶିଲା

ଏବେ ସପତ ଦିନ ଯାଏ

ଜୀବନ ଅଛି ତୋର ଦେହେ

ଏବେ ହରିଙ୍କୁ ଆଶ୍ରେ କର

ଶ୍ରବଣେ ବଦନେ ଉଚ୍ଚାର

ଯେ ଅନ୍ତଃକାଳେ ହରିବାଣୀ

ମୁଖେ ଉଚ୍ଚାରି କର୍ଣ୍ଣେ ଶୁଣି

ଯେତେ ବିଷୟ ଆତ୍ମା ଭେଦି

ଅସଙ୍ଗ ଅସ୍ତ୍ରେ ତାହା ଛେଦି

ବେଗେ ପଶନ୍ତି କୃଷ୍ଣଭାବେ

ଶୁଣ କହିବା ତୋରେ ଏବେ

ଯେ ପ୍ରାଣୀ ଅନ୍ତଃକାଳେ ଜାଣି

ଆତ୍ମାର ଗତି ମନେ ଗୁଣି

ଗୃହ ଉପେକ୍ଷି ଚଳେ ବନେ

ତପ ଆଚରେ ଦୁଃଖଶ୍ରମେ

ସ୍ନାନକୁ ସାରି ଶୀତଜଳେ

ବସି ନିଶ୍ଚଳେ ବୃକ୍ଷମୂଳେ

ଅଭ୍ୟାସ କରି ଶୁଦ୍ଧମନେ

ତ୍ରିବୃତ ବ୍ରହ୍ମ ସୁମରଣେ

ପ୍ରାଣ ପବନ ଯୋଗେ ରୁନ୍ଧି

ସକଳ ଇନ୍ଦ୍ରିୟ ନିରୋଧି

ବୁଦ୍ଧି ସାରଥି ଆଶ୍ରେ କରି

ବିଷୟ ସମୁହ ନିବାରି

କର୍ମେ ଚଞ୍ଚଳ ମନ ଚଳେ

ନିରୋପି କୃଷ୍ଣ ପାଦତଳେ

ଏକା ଶରୀର ଚିନ୍ତି ନିତ୍ୟେ

ବଞ୍ଚିବ ଅନୁକ୍ଷଣେ ପ୍ରାନ୍ତେ

ମନକୁ ନିର୍ବିଷୟ କରି

ସକଳ ଚିନ୍ତା ନ ସୁମରି

ମନ ପ୍ରସନ୍ନ ଯେତେବେଳେ

ଜ୍ଞାନ ପ୍ରସରଇ ନିଶ୍ଚଳେ

ସ୍ୱଭାବେ ମନ ଦୁଷ୍ଟ ପଣେ

ଆବୃତ ରଜ ତମୋଗୁଣେ

ଏଣୁ ଧାରଣା ଆଶ୍ରେକରି

ମନର ମଳ ଅପହରି

ଏମନ୍ତେ ଯୋଗର ଧାରଣ

ଯୋଗୀର ଭକ୍ତିର ଲକ୍ଷଣ

ରାଜୋବାଚ

ଧାରଣା ଯୋଗ ଚିତ୍ତେ ଧରି

ଏମନ୍ତେ ତରେ ବ୍ରହ୍ମଚାରୀ

ଧାରଣା ହ୍ୱନ୍ତେ ସୁନିଶ୍ଚଳ

ବେଗେ ହରଇ ମନୁ ମଳ

ଯୋଗୀଙ୍କ ଧାରଣା ଏମନ୍ତେ

ଶାସ୍ତ୍ରର ଅନୁଭବ ମତେ

ଗୁରୁ ବଚନ କେବା ଜାଣି

ଯୋଗ ଧାରଣା ପରିମାଣି

ଏଣୁ ଅଭ୍ୟାସ ପ୍ରାଣୀକରେ

ଏମନ୍ତ ମନୁ ମଳ ହରେ

ଶ୍ରୀ ଶୁକ ଉବାଚ

ଜିତ ଆସନ ଜିତ ପ୍ରାଣ

ଜିତ ବିଷୟ ଇନ୍ଦ୍ରିଗଣ

ସ୍ଥୂଳ ଶରୀରେ ବୁଦ୍ଧିବଳେ

ମନକୁ ସ୍ଥାପିବ ନିଶ୍ଚଳେ

ବିଶେଷ ଗୋବିନ୍ଦ ଶରୀର

ସ୍ଥୂଳଙ୍କ ମଧ୍ୟେ ସ୍ଥୂଳତର

ଯହିଁ ସଂସାର ପରିମାଣ

ଭୂତ ଭବିଷ୍ୟ ବତ୍ତର୍ମାନ

ବ୍ରହ୍ମାଣ୍ଡ ବସେ ଯାର ଦେହେ

ସପ୍ତାବରଣେ ଯୁକ୍ତ ହୁଏ

ବିରାଟ ପୁରୁଷ ଏ ମଧ୍ୟେ

ବସେ ଧାରଣା ଅନୁବାଦେ

ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ ପୁର

ପ୍ରମାଣ ଶରୀର ଯାହାର

ଶୁଣ କହିବା ଅଧ ଉର୍ଦ୍ଧ୍ୱେ

ବିରାଟ ପ୍ରତିଅଙ୍ଗ ମଧ୍ୟେ

ପାତାଳ ବସେ ପାଦତଳ

ତା ପାଦ ଅଗ୍ରେ ରସାତଳ

ଚରଣ ଗୁଳ୍‌ଫ ମହୀତଳ

ଜଙ୍ଘ ଯୁଗଳ ତଳାତଳ

ସୁତଳ ବସେ ଜାନୁଯୁଗେ

ବିତଳାତଳ ଉରୁଭାଗେ

ଜଘନ ଦେଶେ ମହୀତଳ

ନାଭୀ ବିବର ନଭସ୍ଥଳ

ଜ୍ୟୋତି ସମୂହ ପରକାଶେ

ହୃଦରେ ସ୍ୱର୍ଲୋକହିଁ ବସେ

କଣ୍ଠ ଆଶ୍ରିତ ମହଲ୍ଲୋକ

ବଦନେ ବସେ ଜନଲୋକ

ଲଲାଟେ ତପଲୋକ ବସେ

ମସ୍ତକ ଦେଶେ ସତ୍ୟ ବସେ

ବାସବ ଆଦି ଦିଗପାଳେ

ଯା ଅଷ୍ଟଭୂଜ ଏ ଶୟଳେ

କର୍ଣ୍ଣେ ଯାହାର ଅଷ୍ଟଦଶା

ଅଶ୍ୱିନୀସୁତେ ଯାର ନାସା

ଜଳନ୍ତା ଅଗ୍ନି ଯା ବଦନ

ନୟନ ଗୋଲକ ଗଗନ

ସବିତା ଯାର ଚକ୍ଷୁ ବେନି

ଉଦୟ ଅସ୍ତ ପକ୍ଷ ବେନି

ଯାର ଭୁଭଙ୍ଗ ବେନି ପାଦ

ସଲିଳ ତାଳୁ ସରଜିହ୍ୱ

ତିନି ବେଦ ଯେ ବ୍ରହ୍ମରନ୍ଧ୍ର

ବିକଟ ତୁଣ୍ଡ ଯମପଦ

ଯାହାର ତୁମ୍ଭେ ସ୍ନେହକଳା

ଅଧଃ ଉର୍ଦ୍ଧ୍ୱରେ ଦନ୍ତମାଳା

ନର ଉନ୍ମାଦ ଯାର ହାସ

ଯେ ବିଷ୍ଣୁ ମାୟାରେ ପ୍ରକାଶ

ସଂସାର ଯାହାର କଟାକ୍ଷ

ଏ ଜୀବ ଲଭେ ତା ପ୍ରତ୍ୟକ୍ଷ

ଉର୍ଦ୍ଧ୍ୱ ଓଷ୍ଠରେ ଲଜ୍ଜାବସେ

ଲୋଭ ବସଇ ଅଧୋଦେଶେ

ଧର୍ମ ବସଇ ସ୍ତନ ଯୁଗେ

ଅଧର୍ମ ବସେ ଧର୍ମଭାଗେ

ଅଣ୍ଡେ ବସଇ ପ୍ରଜାପତି

ମିତ୍ରାବରୁଣ କୋଷେ ସ୍ଥିତି

ବକ୍ଷରେ ସାଗର ନିଚୟ

ଗିରିମାନେ ଯେ ଅସ୍ଥିଚୟ

ସକଳ ନଦୀ ନାଡ଼ୀ ସାର

ବୃକ୍ଷ ଔଷଧ ଲୋମ ଯାର

ଅନନ୍ତ ବୀର୍ଯ୍ୟେ ଯହିଁ ବସେ

ଶ୍ୱାସ ପବନ ଅଣଚାଶେ

ଯାହାର ଗତି ଜାଣ କାଳ

ଜୀବ ସଂହାର ଯାର ଖେଳ

ପ୍ରାଣୀ ସଂହାର କ୍ରୀଡ଼ା ତାର

ଶୁଣ ହେ କୁରୁ ବୀରବର

ଜୀମୁତଗଣ ଯାର କେଶ

ସନ୍ଧ୍ୟା ଯାହାର ନିଜବାସ

ପ୍ରକୃତି ହୃଦୟ ଯାହାର

ଯାହାର ମନ ନିଶାକର

ବିଜ୍ଞାନ ଶକ୍ତି ଯା ମହିମା

ଅନ୍ତଃକରଣ ରୁଦ୍ର ସୀମା

କରଭ ଅଶ୍ୱ ଅଶ୍ୱତର

ନଖ ସମୁହେ କରୀବର

ଯେ ପଶୁ ମୃଗାଦି ବିଶେଷେ

ସର୍ବ କଳ୍ପିତ କଟିଦେଶେ

ପକ୍ଷୀଏ ଯାର ବ୍ୟାକରଣ

ବୁଦ୍ଧି ବିଷୟେ ମନୁଗଣ

ଯାର ନିବାସ ନରଦେହ

ଯହିଁ କଳ୍ପିତ ମାୟା ମୋହ

ଗନ୍ଧର୍ବ ବିଦ୍ୟାଧର ଆଦି

ଚାରଣ ଗଣିକା ପ୍ରସିଦ୍ଧି

କିନ୍ନର ଗଣ ଯାର ସ୍ୱର

ବୀର୍ଯ୍ୟରେ କଳ୍ପିତ ଈଶ୍ୱର

ବ୍ରାହ୍ମଣ ଯାର ମୁଖୁଜାତ

କ୍ଷତ୍ରିୟ ଭୁଜରୁ ସମ୍ଭୁତ

ଉରରୁ ବୈଶ୍ୟ ଉତପତ୍ତି

ପାଦରୁ ଜାତ ଶୂଦ୍ରଜାତି

ନାନା ପ୍ରକାର କାମ ବହି

ଅଭୀଷ୍ଟ ଦେବେ ଯାର ଦେହୀ

ନିଗମ କର୍ମକାଣ୍ଡ ଯେତେ

ଯାହାର କର୍ମ ଏ ଯୁଗତେ

ଏମନ୍ତେ ଈଶ୍ୱରଙ୍କ ଦେହେ

ବସେ ଅସତ୍ୟ ସତ୍ୟ ପ୍ରାୟେ

ଏମନ୍ତେ ଏ ସ୍ଥୂଳ ଶରୀରେ

ଧାରଣା ଯୋଗେ ନିର୍ବିକାରେ

ମନ ନିରୋଧି ଯୋଗ ବଳେ

ବିଷ୍ଣୁର ଚରଣ କମଳେ

ସର୍ବ ଶରୀରେ ଭଗବାନ

ତା ତହୁଁ କେବା ଅଛି ଅନ୍ୟ

ସେ ସର୍ବ ବୁଦ୍ଧି ଅନୁଭବ

ଜୀବ ପରମ ବ୍ରହ୍ମଲାଭ

ସ୍ୱପ୍ନ ଜାଗ୍ରତେ ଯାର ଅନ୍ତ

କେ ଜାଣିପାରେ ତା ବୃତ୍ତାନ୍ତ

ସତ୍ୟ ପରମାନନ୍ଦ ନିଧି

ଯାର ଭଜନେ ସର୍ବ ସିଦ୍ଧି

ଜନ୍ମ ମରଣ ଯାର ତହୁଁ

କେ ଅବା ଗୋଚର ତା କହୁଁ

ଏମନ୍ତ କହି ଶୁକମୁନି

ହରଷେ ହରି ଭାବ ଘେନି

ସାନନ୍ଦେ ପରୀକ୍ଷିତ ମେଳେ

ଯାହା କହିଲେ ଗଙ୍ଗାକୂଳେ

ଦ୍ୱିତୀୟ ସ୍କନ୍ଧେ ଭାଗବତ

କହିଲେ ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେ

ମହାପୁରୁଷ ସଂସ୍ଥାନ ବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟଃ ।

•••

 

ଦ୍ୱିତୀୟ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଏ ଯେତେ କହିଲି ମୁଁ ତୋତେ

ଈଶ୍ୱର ଶରୀର ସମେତେ

ଏ ସ୍ଥୁଳଦେହ ମନେ ଧରି

ସୁବୁଦ୍ଧି ବଳେ ଯତ୍ନକରି

ସେ ହରି ଅନ୍ତର ବାହାରେ

ଅନ୍ୟ କେ ଅଛି ଏ ସଂସାରେ

ସେ ସର୍ବ ବୁଦ୍ଧି ଅନୁଭୂତ

ସ୍ୱପ୍ନ ଜାଗ୍ରତ ମଧ୍ୟ ସ୍ଥିତ

ସତ୍ୟ ଆନନ୍ଦ ଜଳନିଧି

ଭକ୍ତ ଜନଙ୍କ ସର୍ବସିଦ୍ଧି

ଯାହାର ତହୁଁ ଏ ଜଗତ

ଆତ୍ମାର ସଙ୍ଗେ ଉଦେ ଅସ୍ତ

ଏହି ପ୍ରକାରେ ପୂର୍ବକାଳେ

ସେ ଆତ୍ମଯୋନି ଏ ଶୟଳେ

ଆତ୍ମ ସ୍ମରଣ ବୁଦ୍ଧିବଳେ

ସର୍ଜିଲା ଏ ବିଶ୍ୱ ମଣ୍ତଳେ

ଆତ୍ମାକୁ ପାଳି ପୁଣି ହରେ

ବୋଇତ ଯେହ୍ନେ ବଣିଜ୍ୟରେ

ଶବଦମୟ ବ୍ରହ୍ମପଥ

ଯେ ମାର୍ଗେ ଜୀବ ଆତଯାତ

ପଡ଼ି ଭ୍ରମଇ ଅଧ ଉର୍ଦ୍ଧ୍ୱେ

କିଛି ନ ଲଭେ ଲାଭପଦେ

ବାସନାମୟ ମାୟାଯାନେ

ନ ବୁଝି ନିରତେ ଭ୍ରମଣେ

ତାହାଙ୍କ ମଧ୍ୟେ ସେ ସୁବୁଦ୍ଧି

ଜାଣେ ବେପାର ସଦବୁଦ୍ଧି

ବିଚାର କରେ ମାୟାପଥେ

ମୁହିଁ ଭ୍ରମଇ କିସ ଅର୍ଥେ

ଶ୍ରମ ଲଭଇ ଆତଯାତେ

ଲାଭ ନ ମିଳେ ମୋର ହସ୍ତେ

ଏଣୁ ଏ ପଥଶ୍ରମ ତେଜି

ଯେ ପ୍ରାଣୀ ଆତ୍ମଲାଭ ଖୋଜି

ପ୍ରତ୍ୟାଶା ଦୂରେ ପରିହରେ

ଆତ୍ମାରେ ଆତ୍ମା ବୋଧକରେ

ଅଳପ ସୁଖେ ଆତ୍ମା ତୋଷେ

ବର୍ତ୍ତଇ ଦିନ ଉପବାସେ

ଥାଉଁ ଏ ବସୁନ୍ଧରୀ ଅଙ୍କ

କି ସୁଖ ସୁବର୍ଣ୍ଣ ପଲଙ୍କ

ସମର୍ଥ ଭୁଜ ଥାଉ ବାମେ

କି ପ୍ରୟୋଜନ ଉପାଧାନେ

ଯେବେ ବା ଅଛିଟି ଅଞ୍ଜଳି

କି ପ୍ରୟୋଜନ ପାକସ୍ଥଳୀ

ଦିଗ ବଳ୍‌କଳ ଯେବେ ଥିବ

ପଟ୍ଟବସ୍ତ୍ରରେ କିସ ହେବ

ବୃକ୍ଷର ଯେଉଁ ଫଳମାନ

ସେ କି ନୁହନ୍ତି ଭିକ୍ଷା ଅନ୍ନ

ନଦୀ ସବୁ କି ଶୁଖିଅଛି

ଗିରି ଗୁହା କି ରୁନ୍ଧିଅଛି

ହରିକି ନ ରଖେ ଭକତ

ଧନ ଲାଭରେ କିମ୍ପାଚିତ୍ତ

ଏମନ୍ତ ଭାବେ କୃଷ୍ଣ ପାଦେ

ଯେ ପ୍ରାଣୀ ଭଜନ୍ତି ଆନନ୍ଦେ

ସେ କିମ୍ପା ଧନଗର୍ବୀ ଲୋକେ

କ୍ଷଣେ ଭଜିବେ ଆତ୍ମାସୁଖେ

ଏହି ପ୍ରକାରେ ଆତ୍ମାଚିତ୍ତେ

ସିଦ୍ଧି ଲଭନ୍ତି ଅନୁଭୂତେ

ସେ ପ୍ରାଣୀ ହୁଏ କୃତ୍ୟ କୃତ୍ୟ

ତାହାକୁ ପ୍ରସନ୍ନ ଅନନ୍ତ

ଏଣୁ ନିରତେ ଆତ୍ମ ଯୋଗେ

ଭଜିବ କୃଷ୍ଣ ପାଦ ଯୁଗେ

ମୁଁ ଯେତେ କହିଲି ବିଶ୍ୱାସେ

ଏଣୁ ସଂସାରେ ହେତୁ ନାଶେ

ଏ ଭବ ଅନାଦର କରି

ସଂସାର ଚିନ୍ତା ଚିତ୍ତେ ଭରି

ପଶୁମାନଙ୍କର ଏ ଗତି

ମାୟା ସଂସାରେ ଯେ ଭ୍ରମନ୍ତି

ଦେଖ ସଂସାରେ ପ୍ରାଣୀ ଯେତେ

ଯନ୍ତ୍ରିତ କର୍ମର ଆୟତ୍ତେ

ବଇତରଣୀ ନାମେ ନଦୀ

ଯାତନା ମଧ୍ୟେ ସେ ପ୍ରସିଦ୍ଧି

ତହିଁ ପଡ଼ଇ ଦେଖୁ ଦେଖୁ

ତାଙ୍କ ଜୀବନ କେବା ରଖୁ

ଅର୍ଜିଲା କର୍ମଫଳ ଲଭି

ଅଶେଷ ଦେହେ ତାହା ସେବି

ଏବେ ହୋ ଶୁଣ ନୃପମଣି

ତେଣୁ ସଂସାରେ ତରେ ପ୍ରାଣୀ

ସେ ଅବା ଏ ନର ଶରୀରେ

ଧାରଣା ଯୋଗ ନିର୍ବିକାରେ

ସ୍ୱଦେହେ ହୃଦୟେ ପ୍ରକାଶେ

ସେ ହରି ଘୋର ତମ ନାଶେ

ପ୍ରାଦେଶ ମାତ୍ର ରୂପ ଧରି

ବିଜୟ ପ୍ରଭୁ ନରହରି

ସୂକ୍ଷ୍ମ ସ୍ୱରୂପ ରୂପ ତାର

ଶୁଣ ସାନନ୍ଦେ କୁରୁବୀର

ଶ୍ୟାମସୁନ୍ଦର ଭୁଜ ଚାରି

ଶଙ୍ଖ କମଳ ଚକ୍ରଧାରୀ

ଧାରଣ ଯୋଗେ ଏହା ଚିନ୍ତି

ନିଶ୍ଚଳ ନୟନେ ଦେଖନ୍ତି

ପ୍ରସନ୍ନ ଶ୍ରୀମୁଖମଣ୍ତଳ

ଲୋଚନ ପୁଣ୍ଡରୀକ ଦଳ

କଦମ୍ବ କିଞ୍ଜଳ୍‍କ ସୁରଙ୍ଗ

ପୀତ ବସନେ ଶୋହେ ଅଙ୍ଗ

ଅମୁଲ୍ୟ ହାର ବକ୍ଷସ୍ଥଳେ

ରତ୍ନ କେୟୁର ବାହୁମୂଳେ

ସୁବର୍ଣ୍ଣ କିରୀଟ କୁଣ୍ଡଳ

ସୁନ୍ଦର ଅଳକା କପୋଳ

ହୃଦୟ ପଦ୍ମ ମଧ୍ୟେ ସ୍ମରି

ଏ ରୂପ ଚିନ୍ତେ ବ୍ରହ୍ମଚାରୀ

ଶ୍ରୀବତ୍ସ କଉସ୍ତୁଭ ମଣି

ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି

ଆଜାନୁ ଲମ୍ବେ ବନମାଳ

କନ୍ଧୁ ବେଷ୍ଟିତ ବକ୍ଷସ୍ଥଳ

ରତ୍ନ ମେଖଳା କଟୀ ମାଝେ

ଅଙ୍ଗୁଳେ ମୁଦ୍ରିକା ବିରାଜେ

ଅଙ୍ଗଦ ନୁପୁର କଙ୍କଣ

ବିବିଧେ ଅଙ୍ଗ ଆଭରଣ

କମଳ ପୁଷ୍ପ ଶିରେ ଶୋହେ

ନୀଳ କୁନ୍ତଳ ଜନ ମୋହେ

ସୁନ୍ଦର ହସିତ ବଦନ

ଅଞ୍ଜନେ ବିରାଜେ ନୟନ

ଭ୍ରୁଭଙ୍ଗ ଅନୁଗ୍ରହ ମୁଖ

ଭୃକୁଟୀ କୁଟୀଳ ସୁରେଖ

ଏମନ୍ତେ ଈଶ୍ୱରର ଦେହେଁ

ଚିତ୍ତେ ଚିନ୍ତିବ ମାୟାମୋହେ

ଯାବତ ଧାରଣାର ବଳେ

ମନ ନ ରହେ ସୁନିଶ୍ଚଳେ

ଏମନ୍ତ ଏକ ଏକ ଅଙ୍ଗେ

ନିତ୍ୟେ ଭାବିବ ବୁଦ୍ଧି ଯୋଗେ

ହାସ୍ୟ ବଦନୁ ପାଦ ଯାଏ

ଭାବିବ ବିଷ୍ଣୁ ସ୍ଥୁଳ ଦେହେ

ସ୍ଥାନକୁ ସ୍ଥାନ ଧ୍ୟାନ କରି

ଭିତରେ ପଶିବ ପ୍ରସାରି

ଯାବତ ବୁଦ୍ଧି ଏ ଶରୀରେ

ପରମ ଶୁଦ୍ଧ ନ ବିଚାରେ

ଯାବତ ବିଷ୍ଣୁ ନିଜ ଦେହେ

ନ ଦେଖି ତତ୍ତ୍ୱର ଉଦୟେ

ତାବତ ସ୍ଥୂଳ ରୂପ ଚିନ୍ତି

ଚିତ୍ତେ ସ୍ମରିବ ନିତି ନିତି

ସୁଖେ ବସିବ ସ୍ଥିରାସନେ

ସ୍ଥୂଳ ଶରୀରେ ଯୋଗଧ୍ୟାନେ

ଏମନ୍ତ କରିବ ଧାରଣ

ଯାବତ ନ ଘଟେ ମରଣ

ପବିତ୍ର ପୁଣ୍ୟତୀର୍ଥ କାଳେ

ମନ ନ କରିବ ଚଞ୍ଚଳେ

ଯୋଗ ଧାରଣେ ପଞ୍ଚପ୍ରାଣ

ସାଧିବ ସମାଧି ଧାରଣ

ଆସନ ପ୍ରତ୍ୟାହାର ବଳେ

ମନକୁ ସ୍ଥାପିବ ନିଶ୍ଚଳେ

ମନ ସହିତେ ଇନ୍ଦ୍ରିଗଣ

ନିର୍ମଳ ବୁଦ୍ଧିରେ ସଂଯମ

ସେ ବୁଧ କ୍ଷେତ୍ରଜ୍ଞ ପ୍ରମାଣି

ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି

ଆତ୍ମାରେ ଆତ୍ମାକୁ ନିରୋଧି

ଏମନ୍ତ ଯେ ଜନ ସୁବୁଦ୍ଧି

ଆତ୍ମାର ଲାଭ ଲଭେ ହେଳେ

କର୍ମ ଛାଡ଼ିବୁ ତେତେବେଳେ

ଏ ଭାବେ ଜୀବର ନିସ୍ତାର

କାଳର ନାହିଁ ଅଧିକାର

ଦେବେ ନୁହନ୍ତି ଯହିଁ ହିଂସ୍ର

ତ୍ରିଗୁଣେ ନୁହନ୍ତି ପ୍ରବେଶ

ଇନ୍ଦ୍ରିୟଗଣେ ଅଗୋଚର

ନାହିଁ ମହତ ତତ୍ତ୍ଵ ଦୂର

ଏ ଘେନି ବୈଷ୍ଣବର ଧାମ

ପରମ ପଦ ତାର ନାମ

କେବେ ନ ପାନ୍ତି ଯାହା ଚିନ୍ତି

ନ ଜାଣୁ ନ ଜାଣୁ କହନ୍ତି

ଦୂରାତ୍ମା ଭାବ ପରିହରି

ସୁହୃଦ ଭାବ ଚିତ୍ତେ ଧରି

ପରମ ପଦେ କରି ସ୍ଥାନ

ତେବେ ସାଧିବ ଦୃଢ ମନ

ବିଶ୍ୱକୁ ବ୍ରହ୍ମମୟ ଭାବି

ପାରିଲେ ହେବ ସର୍ବସିଦ୍ଧି

ବାମ ଚରଣ ପଛଭର

ତେଣେ ନିରୋଧି ମୂଳାଧାର

ମୂଳ ପବନ ଉର୍ଦ୍ଧ୍ୱେ ତୋଳି

ନାଭି ପବନ ସଙ୍ଗେ ମିଳି

ବେନି ପବନ ତୋଳି ବଳେ

ସ୍ଥାପିବ ହୃଦୟ କମଳେ

ତହୁଁ ତୋଳିବ ତିନି ପ୍ରାଣ

କଣ୍ଠେ ଯେ ବସଇ ଉଦାନ

ବ୍ୟାନ ପବନ ତାର ତୁଲେ

ଧରି ସ୍ଥାପିବ ତାଳୁ ମୂଳେ

ତହୁଁ କୁମ୍ଭକ ସାଧିକରି

ପ୍ରାଣକୁ ଭୂମଣ୍ତଳେ ଭରି

ନିରୋଧ କରି ସ୍ୱାହା ଦ୍ୱାର

ସ୍ମରଣ କରିବ ଓଁକାର

ନିୟତ ଥାଇ ଯୋଗବନ୍ଧେ

ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ

ନିଶ୍ଚଳ ଯୋଗେ ଦୃଢ଼େ ସାଧି

ତକ୍ଷଣେ ବ୍ରହ୍ମରନ୍ଧ୍ରେ ଭେଦି

ପରମ ପଦେ ତାର ଗତି

ବ୍ରହ୍ମାର ବ୍ରହ୍ମଲୋକେ ସ୍ଥିତି

ଗୁଣ ସମୁହ ଅଷ୍ଟନିଧି

ଯେଣୁ ବାଞ୍ଛଇ ମନ ସିଦ୍ଧି

ମନ ଇନ୍ଦ୍ରିୟଗଣ ମେଳେ

ତକ୍ଷଣେ ବ୍ରହ୍ମଲୋକ ମିଳେ

ଯୋଗେଶ୍ୱରଙ୍କର ଏ ଗତି

ପରମ ପୁରୁଷ ବୋଲନ୍ତି

ଏମନ୍ତେ ତିନିଲୋକ ଜିଣି

ଶୁଣ କହିବା ପରିମାଣି

ଯେ କର୍ମ ସାଧେ କର୍ମ କାଣ୍ତେ

ସେ କାହିଁ ଲଭେ ଉର୍ଦ୍ଧ୍ୱ ଦାଣ୍ତେ

କେବା ଲଭିବ କର୍ମ ଭାବେ

ସମାଧି ବିଦ୍ୟା ତପଯୋଗେ

ସୁଷୁମ୍ନା ରନ୍ଧ୍ରେ ବ୍ରହ୍ମପଥେ

ଜ୍ୟୋତି ପ୍ରକାଶେ ଉର୍ଦ୍ଧ୍ୱଗତେ

ବିଧୌତ କଳୁଷ ଶରୀର

ସେ ଚିତ୍ରେ ସ୍ଥିତି ସୁଷୁମ୍ନାର

ସେହି ସୁଷୁମ୍ନା ଚକ୍ରସାର

ଯେ ଚକ୍ର ତଳେ ଧ୍ରୁବପୁର

ବିଶ୍ୱର ନାଭି ସେ ବୋଲାଇ

ଆତ୍ମା ସ୍ୱରୂପେ ତହୁଁ ଯାଇ

ପ୍ରବେଶ ପରମ ସ୍ୱରୂପେ

ବ୍ରହ୍ମ ନିର୍ବାଣ ମହଲ୍ଲୋକେ

କଳ୍ପ ଆୟୁଷ ସିଦ୍ଧଗଣେ

ଯହିଁ ରମନ୍ତି ଅନୁକ୍ଷଣେ

ସେ ପୁଣି କଳ୍ପକ୍ଷୟ କାଳେ

ଅନନ୍ତ ନିଃଶ୍ୱାସେ ଅନଳେ

ଦହନ ଦେଖି ଅନ୍ତରୀକ୍ଷେ

ଅନନ୍ତ ଶୟନ ପ୍ରତ୍ୟକ୍ଷେ

ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ

ବେଦ ଯା ବ୍ରହ୍ମଲୋକେ ଘୋଷେ

ସଂସାରକର୍ତ୍ତା ଯେ ବୋଲାନ୍ତି

ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି

ଯେ ପୁରେ ନାହିଁ ଦୁଃଖ ଶୋକ

ଜରା ମରଣ ଉଦବେଗ

ଚିତ୍ତ ଅନର୍ଥ ହେତୁ କାହିଁ

ଜନ୍ମ ମରଣ ଭୟ ନାହିଁ

କେତେହେଁ କାଳ ସେ ଭୁବନେ

ରହି ଚିନ୍ତଇ ଅବଧାନେ

ପୃଥିବୀ ରୂପେ ଲିଙ୍ଗ ଦେହେ

ସେ ପୁଣି ବିହରେ ନିର୍ଭୟେ

ପୃଥିବୀ ରୂପେ ଜଳେ ଯାଇ

ସେ ଇଷ୍ଟ ଭୋଗ ତା ଭୁଞ୍ଜଇ

ଅନଳ ସମ ତହୁଁ ସ୍ଥିତି

ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି

ପବନେ କରଇ ସଞ୍ଚାର

ଧରଇ ପବନ ଶରୀର

ସେ ବାୟୁ କାଳେ ନଭେ ପୂରେ

ସେ ଜୀବ ଲିଙ୍ଗ ରୂପ ଧରେ

ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ

ରସକୁ ରସନା ସଙ୍ଗତେ

ଦୃଷ୍ଟିରେ ରୂପକୁ ସଂହାରି

ତ୍ୱକକୁ ସ୍ପର୍ଶରେ ସେ ହରି

ଶବଦ ଗୁଣେ କର୍ଣ୍ଣ ଭାରି

ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି

ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ

ଏ ପଞ୍ଚମାତ୍ରା ପରମାଣେ

ଏ ଅହଙ୍କାର ଭଗବାନ

ବୁଦ୍ଧି ଇନ୍ଦ୍ରିୟ ଦିବ୍ୟଜ୍ଞାନ

ପଞ୍ଚ ବିକାରେ ପଞ୍ଚ ଦେବା

ମନ ସମ୍ମତେ କରି ସେବା

ଏ ପଞ୍ଚ ଦେବତା ସହିତେ

ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ତ୍ୱେ

ସେ ତତ୍ତ୍ଵ ଗୁଣର ସଂସ୍ଥାନ

ପ୍ରଧାନେ ଦେହେ ହୁଏ ଲୀନ

ନିତ୍ୟ ନିର୍ଗୁଣ ସେ ନିରୋଧେ

ଦଶ ଇନ୍ଦ୍ରିୟ ଆତ୍ମା ସାଧେ

ଆତ୍ମା ନିରୋଧେ ଆତ୍ମଜ୍ଞାନେ

ପ୍ରବେଶ କରେ ଅବ୍ୟମାନେ

ଆନନ୍ଦେ ଜ୍ଞାନ ରସ ଭୋଳେ

ଶାନ୍ତି ଭଜଇ ସେ ନିଶ୍ଚଳେ

ଏମନ୍ତେ ଧାରଣାନୁଭାବ

ନିଶ୍ଚେ ପଶଇ ବାସୁଦେବ

ଅନ୍ତେ ଲଭଇ ଯେତେ ଗତି

ତାହାକୁ କହି ଭାଗବତୀ

ଯହିଁ ପଶିଲେ ଆତ୍ମା ମନ

ନ ଲଭେ ପୁନରାଗମନ

ଶୁଣ ହୋ ନୃପ ପରୀକ୍ଷିତ

ଯେଣୁ ପୁଚ୍ଛିଲୁ ଭାଗବତ

ମୋକ୍ଷର ମାର୍ଗ ମୁଁ କହିଲି

ତୋ ମନୁ ସଂଶୟ ଛେଦିଲି

ତେଣୁ କହିଲି ଶ୍ରୁତି ଯୋଗେ

ତୋର ସମୀପେ ଅନୁରାଗେ

ଦଇବେ କାଳ ଅବସାନ

ଏଣେ କହିବା ଦିବ୍ୟଜ୍ଞାନ

ବ୍ରହ୍ମାର ତପେ ହୋଇ ତୋଷ

ବିଷ୍ଣୁ ଯେ ଦେଲେ ଉପଦେଶ

ସେ ପଦ କହିଲି ମୁଁ ତୋତେ

ଏବେ ତୁ ଶୁଣ ଏକ ଚିତ୍ତେ

ସଂସାର ସଞ୍ଚରନ୍ତି ଯେତେ

ସେ କାହିଁ ଯିବେ ବିଷ୍ଣୁ ପଥେ

ସେ କଥା ଶୁଣି ପ୍ରିୟଭାବେ

ସେ ଭକ୍ତି ଲଭେ ବାସୁଦେବେ

ବ୍ରହ୍ମାର ତପ କଷ୍ଟେ କରି

ଯାହା କହିଲେ ଦୟାକରି

ସେ ସର୍ବବ୍ରହ୍ମ ବେଦସାର

ସକଳ ବୁଝି ତିନିବାର

ସେ ହରି ସର୍ବଭୂତ ମଧ୍ୟେ

ନିତ୍ୟ ବିହରେ ଆତ୍ମାପଦେ

ଯେ ଭକ୍ତି ଜୀବ ସୁଖପଥ

ଏଭାବେ ହେଲେ ଆତ୍ମାରତ

ବୁଦ୍ଧି ଲକ୍ଷଣ ଅନୁମାନେ

ନିଶ୍ଚଳ ଯୋଗୀ ଯୋଗଧ୍ୟାନେ

କେ ଅବା କରିବ ଗୋଚର

ଜଗତ ବାହ୍ୟ ଅଭ୍ୟନ୍ତର

ଏ ଘେନି ସର୍ବ ଆତ୍ମା ଭାବେ

ସର୍ବଦା କାଳେ ଏକଠାବେ

ହରିଙ୍କି କର୍ଣ୍ଣପଥେ ଶୁଣି

ମୁଖେ ନିରତେ ନାମ ଭଣି

ସେ ହରି କଥାମୃତ ରସ

ଯେ କରେ କର୍ଣ୍ଣପଥେ ପ୍ରାସ

ବିଷୟ ବିଷ ନାଶି ଚିତ୍ତ

ପବିତ୍ର କରେ ଅନ୍ତର୍ଗତ

ଗୋବିନ୍ଦ ଚରଣ କମଳେ

ପଶଇ ଭକ୍ତ ଯୋଗବଳେ

ଏ ଭାଗବତ ରସ ଚିତ୍ତେ

ସୁଜନେ ପିଅ କର୍ଣ୍ଣପଥେ

ବିଷୟ ରସ ଯାଉ ନାଶ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରହଂସ୍ୟା ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେ

ଯୋଗସ୍ମୃତିଦ୍ୱୟ ବର୍ଣ୍ଣନେ ନାମ ଦ୍ୱିତୀୟୋଽଧ୍ୟାୟଃ ॥

•••

 

ତୃତୀୟ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁକ କହନ୍ତି ସାଧୁଚିତ୍ତେ

ପ୍ରସନ୍ନେ ନୃପତି ଅଗ୍ରତେ

ଶୁଣ ରାଜନ ପୁଣ୍ୟଦେହା

ତୁ ମୋତେ ପଚାରିଲୁ ଯାହା

ମନୁଷ୍ୟ ମଧ୍ୟେ ସାଧୁବାଣୀ

ମରଣ କାଳେ ତାହା ଜାଣି

ଏବେ କହିବା ଜ୍ଞାନ ସାର

ଭକତ ଜନଙ୍କ ବେଭାର

ବ୍ରହ୍ମ ତେଜକୁ ଯାର ଇଚ୍ଛା

ବ୍ରହ୍ମ ଭଜନେ ତାର ଦୀକ୍ଷା

ଇନ୍ଦ୍ରିୟ ସୁଖ ଯାର ଭାବ

ସେ ନର ଇନ୍ଦ୍ରଙ୍କୁ ପୂଜିବ

ସନ୍ତତି ଅର୍ଥେ ଯାର ମତି

ସେ ପ୍ରାଣୀ ପୂଜେ ପ୍ରଜାପତି

ଶ୍ରୀକାମେ ଦୁର୍ଗାଦେବୀ ପୁଜେ

ତେଜସ୍ୱୀ ସେବେ ଗ୍ରହରାଜେ

ଧନାର୍ଥୀ ପୁଜେ ଧନସ୍ୱାମୀ

ରୁଦ୍ରଙ୍କୁ ପୂଜେ ବୀର୍ଯ୍ୟକାମୀ

ସେବେ ଅଦିତୀ ଦେବମାତା

ଭକ୍ଷ ଅର୍ଜନେ ଯାର ଚିନ୍ତା

ଦେବଙ୍କୁ ପୂଜେ ସ୍ୱର୍ଗକାମୀ

ବିଶ୍ୱଦେବାଙ୍କୁ ରାଜାସ୍ୱାମୀ

ସାଧ୍ୟଙ୍କୁ ପୂଜେ ପ୍ରଜାଅର୍ଥେ

ଅଶ୍ୱିନୀସୁତେ ଆୟୁପଥେ

ଯେ ପ୍ରାଣୀ ପୁଷ୍ଟିଅର୍ଥେ କାମୀ

ଆନନ୍ଦେ ପୂଜିବ ସେ ଭୂମି

ପ୍ରତିଷ୍ଠା ଯେବା ନର ଇଚ୍ଛେ

ସେ ପୂଜେ ଭୂମି ଅନ୍ତରୀକ୍ଷେ

ସୁନ୍ଦର ରୂପେ ଯାର ଭାବ

ସେ ନର ପୂଜିବ ଗନ୍ଧର୍ବ

ଯେ ନର ଇଚ୍ଛେ ଦିବ୍ୟନାରୀ

ଭାବେ ଉର୍ବଶୀ ପୂଜାକରି

ସର୍ବ ସମ୍ପଦେ ଯାର ଇଚ୍ଛା

ସେ ନର ପୂଜିବ ବିଧାତା

ଯଶ ଇଚ୍ଛଇ ଯେହୁ ନର

ଯଜ୍ଞେ ପୂଜିବ ଯଜ୍ଞେଶ୍ୱର

ରତ୍ନ ଭଣ୍ତାର ଯେ ଅଛନ୍ତି

ବରୁଣଦେବଙ୍କୁ ସେବନ୍ତି

ଈଶ୍ୱର ପୂଜେ ବିଦ୍ୟାଅର୍ଥୀ

ଦମ୍ପତ୍ୟ ଅର୍ଥେ ଉମାସତୀ

ଧର୍ମାର୍ଥୀ ପୂଜେ ନାରାୟଣ

ସନ୍ତାନ ପାଇଁ ପିତୃଗଣ

ପକ୍ଷୀ ଗଣଙ୍କୁ ରକ୍ଷା କାମେ

ବଳିଷ୍ଠ ପୂଜେ ପ୍ରଭଞ୍ଜନେ

ସକଳେ ରାଜ୍ୟେ ରାଜପଣ

ସେ ସେବା କରେ ମନୁଗଣ

ଶତ୍ରୁ ମାରଣେ ଯାର ବାଞ୍ଛା

ନିଋତି ଅଭିସାର ଇଚ୍ଛା

ସୋମକୁ ପୂଜେ କର୍ମକାମୀ

ଅକାମୀ ଆତ୍ମାରାମ ରମି

ଅକାମେ ଅବା ସର୍ବକାମେ

ଯେବା ବାଞ୍ଛନ୍ତି ମୋକ୍ଷକାମେ

ପରମ ପୁରୁଷ ଚରଣେ

ସେବା କରିବେ ଦାସପଣେ

ଏଣୁ ସେ ତାହାଙ୍କ ଜୀବନ

ଜନ୍ମ ମରଣେ ଧନ୍ୟ ଧନ୍ୟ

ପରମପଦ ସେ ଲଭନ୍ତି

ବିଷ୍ଣ ଚରଣେ ନିତ୍ୟେ ଚିନ୍ତି

ହରି ଭକତ ଜନ ସଙ୍ଗେ

ତରଇ ଏ ଭବ ତରଙ୍ଗେ

ଜ୍ଞାନ ପ୍ରସରେ ଭକ୍ତିବଳେ

ତ୍ରିଗୁଣ ହରଇ ନିଶ୍ଚଳେ

ଆତ୍ମ ପ୍ରସନ୍ନ ଅବିବେକ

ଗୁଣ ଅସଙ୍ଗ ବେନି ଲୋକ

କୈବଲ୍ୟ ଲଭିବାର ପଥ

ଏ ଭକ୍ତି ଯୋଗୀଙ୍କର ମତ

କେବା ନ ରସେ ଏହି ଭାବେ

ଆତ୍ମାର କଇବଲ୍ୟ ଲାଭେ

 

 

 

 

ଶୌନକ ଉବାଚ

ଏମନ୍ତେ ଶୁକ ମୁଖୁଁ ଶୁଣି

ସେ ନୃପକୁଳ ଚୂଡ଼ାମଣି

ପୁଣି ସେ ଅଭିମନ୍ୟୁ ବଳା

ଆନ୍ୟ କି ପ୍ରଶ୍ନ ପଚାରିଲା

ସେ କଥା ଆମ୍ଭେ ଭଲେ ଜାଣି

ତରିବୁ ଭବ ତରଙ୍ଗିଣୀ

ତୁମ୍ଭର ଅଛି ଯେବେ ସ୍ନେହ

ସଦୟ ଚିତ୍ତେ ସୁତ କହ

ସେ ହରିକଥା ସଭାମଧ୍ୟେ

ଭକତେ କହନ୍ତି ଆନନ୍ଦେ

ସେ ପଣ୍ତୁବଂଶେ ମହାରଥ

ସ୍ୱଭାବେ ବିଷ୍ଣୁର ଭକତ

ବାଳକ କ୍ରୀଡ଼ା ରସଭୋଳେ

ଯେ ଭଜେ କୃଷ୍ଣ ପାଦତଳେ

ବ୍ୟାସ କୁମର ସତ୍ତ୍ଵଗୁଣ

ସ୍ୱଭାବେ ବିଷ୍ଣୁ ପରାୟଣ

ପରମାନନ୍ଦ ଗୁଣଗାଥା

ସତ ସଙ୍ଗମେ ଯେ ବକତା

ଜୀବନ ବହି ଏ ଜଗତେ

ସେ ହରି କଥାମୃତ ନିତ୍ୟେ

ନ କରେ ଜୀବନ ନିଷ୍ଫଳ

ହୀନ ତାହାର ଆୟୁବଳ

ଏ ରବି ଉଦେ ଅନ୍ତଃକାଳେ

ଜନ୍ତୁ ଜୀବନ ଘେନି ଚଳେ

ଯେ ହରି ଭାବେ ଥାନ୍ତି ଜଡ଼ି

ତାଙ୍କ ଜୀବନ ଦୂରେ ଏଡ଼ି

ଏ ତରୂଗଣେ ଏ ସଂସାରେ

ଜୀବନ ଅଜ୍ଞାନ ବେଭାରେ

ଲୌହକାରକ ଗୃହେ ଭାତି

କିବା ନିଃଶ୍ୱାସ ନ ଛାଡ଼ନ୍ତି

ଗ୍ରାମ କାନନ ପଶୁଗଣ

କି ନ ଭକ୍ଷନ୍ତି ଜନ ତୃଣ

ମୂତ୍ର ପୁରୀଷ ଉତ୍ସର୍ଗନ୍ତି

ଅଜ୍ଞାନ ସୁଖେ ସେ ବଞ୍ଚନ୍ତି

ଶ୍ୱାନ ଶୂକର ଓଟ ଖର

ଏହାଙ୍କ ସମାନ ସେ ନର

କୃଷ୍ଣର ନାମ ଉଚ୍ଚାରଣ

ନଶୁଣେ ଯାହାର ଶ୍ରବଣ

ତାହାର କର୍ଣ୍ଣଯୁଗ କାନ୍ଥେ

ବିବରେ ଦିଶନ୍ତି ଯେମନ୍ତେ

ତୁଣ୍ତର ମଧ୍ୟେ ଜିହ୍ୱା ବହି

ଯେ ହରି ନାମ ନ ଭାଷଇ

ଦର୍ଦ୍ଦୁର ବାଣୀ ବୋଲି ତାରେ

ଯେ ହରି ନାମ ନ ଉଚ୍ଚାରେ

ଯାର ଉତ୍ତମ ଶିର ସାଜେ

ସୁବର୍ଣ୍ଣ ମୁକୁଟ ବିରାଜେ

ପାଟ ବସନେ ବାନ୍ଧି ଚୂଳ

ଶ୍ରବଣେ ବିରାଜେ କୁଣ୍ତଳ

ସେ ଯେବେ ହରିଙ୍କି ନ ନମେ

ସେ ମୁଣ୍ତଭାର ବହେ ଶ୍ରମେ

ଯେବା ସୁନ୍ଦର ବେନିଭୂଜେ

କାଞ୍ଚନ କଙ୍କଣ ବିରାଜେ

ବିଷ୍ଣୁର କାର୍ଯ୍ୟ ଯେବେ ନୋହେ

ଶ୍ମଶାନେ ଅସ୍ଥି ପ୍ରାୟ ଶୋହେ

ଲୋଚନ ବେନି ଥାଉ ମୁଖେ

ଯେ ହରି ମୁରତି ନ ଦେଖେ

ମୟୂରପୁଚ୍ଛ ବୋଲି ତାରେ

ସେ ଅନ୍ଧ ସଂସାର ସାଗରେ

ଚରଣ ଯୁଗ ବହି ନରେ

ଯେବେ ନ ଗମେ ବିଷ୍ଣୁପୁରେ

ସେ ପାଦ ଭଗ୍ନ ବୃକ୍ଷ ଦୁଇ

ସେ ଯେହ୍ନେ ପଦେ ନ ଚଳଇ

କୃଷ୍ଣର ଭକ୍ତ ପଦ ରେଣୁ

ସର୍ବଦା ନ ଲାଗେ ଯା ତନୁ

ପବିତ୍ର ନୋହେ ତା ଶରୀର

ସେ ଅଟେ ଶବର ଆକାର

ତୁଳସୀଦଳ କୃଷ୍ଣ ଦେହେ

ଶୁଦ୍ଧ ସୌରଭ ଗନ୍ଧ ବହେ

ସେ ଗନ୍ଧ ଯାର ନାସା ଦ୍ୱାର

ନ ପଶେ ଶବ ତା ଶରୀର

ଦାରୁ ପାଷାଣ ଲୌହ ତାର

ସେ ଅନ୍ତେ ପଡ଼େ ତମଘୋର

ଗୋବିନ୍ଦ ନାମ ଯାର ହୃଦେ

ନ ପଶେ ପୁଲକ ଆନନ୍ଦେ

ଯେବେ ବା ପଶଇ ହୃଦରେ

ନୟନୁ ଅଶ୍ରୁ ତା ନ ଝରେ

ତାର ହୃଦୟ ଅଶ୍ମସାର

ବହଇ ଲୌହମୟ ଭାର

ହେ ସୁତ ଶୁଣ କୃଷ୍ଣଗୁଣ

ଶୁଣାଅ ଆମ୍ଭର ଶ୍ରବଣ

ଯେ ସାଧୁ ପ୍ରଶ୍ନ ପରୀକ୍ଷିତ

ପୁଚ୍ଛିଲା ମୁନିଙ୍କ ଅଗ୍ରତ

ଆତ୍ମା ବିଦ୍ୟାର ବଳେ କରି

ଶୁକ ଯା କହିଲେ ବିସ୍ତାରି

ସେ ଆତ୍ମ ମନ ଅନୁକୂଳ

କହି ସଂସାରୁ କର ପାର

ସେ ହରି ଚରଣ ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେ ଭକ୍ତିଯୋଗ

ପ୍ରାଧାନ୍ୟ ବର୍ଣ୍ଣନେ ନାମ ତୃତୀୟୋଽଧ୍ୟାୟଃ ॥

•••

 

ଚତୁର୍ଥ ଅଧ୍ୟାୟ

 

ଶ୍ରୀସୁତ ଉବାଚ

ଏମନ୍ତେ ଶୁକବାକ୍ୟ ଶୁଣି

ଆତ୍ମାର ତତ୍ତ୍ଵ ମନେ ଗୁଣି

କୃଷ୍ଣ ବିଷୟେ ଦୃଢ଼ମନ

କଳ୍ପିଲା ଉତ୍ତରା ନନ୍ଦନ

ଆତ୍ମା କଳତ୍ର ସୁତ ଗୃହେ

ପଶୁ ଦ୍ରବଣ ବନ୍ଧୁ ସ୍ନେହେ

ରାଜ୍ୟ ସମ୍ପଦ ଯେତେ ଆଶ

ହୃଦୁ ଛାଡ଼ିଲା ସ୍ନେହପାଶ

ତୁମ୍ଭେ ଯା ପଚାରିଲ ମୋତେ

ଏ କଥା ରାଜା ଦୃଢ଼ ଚିତ୍ତେ

କୃଷ୍ଣଙ୍କ ଭାବ ଜାଣିବାରେ

ଶ୍ରଦ୍ଧା ବଢ଼ିଲା ନିର୍ବିକାରେ

ଆତ୍ମା କଲ୍ୟାଣ ମନେ ସ୍ମରି

ଦେବ ବଚନ ଅନୁସରି

କୃଷ୍ଣ ବିଷୟେ ଦୃଢ଼ଚିତ୍ତ

ନିଶ୍ଚୟ କରି ପରୀକ୍ଷିତ

ରାଜୋବାଚ

ହେ ଶୁକ ତୁମ୍ଭର ବଚନ

କୃଷ୍ଣର ଯେତେ ଗୁଣକର୍ମ

ଯାହା ଶୁଣନ୍ତେ ପାପ ହରେ

ପବିତ୍ର ବାହ୍ୟ ଅଭ୍ୟନ୍ତରେ

ପୁଣି ପଚାରେ ତୋଷଚିତ୍ତେ

ଭୋ ମୁନି କହିବ ନିଶ୍ଚିନ୍ତେ

ସେ ହରି ଆତ୍ମା ମାୟାବଳେ

ସୃଷ୍ଟି ସଞ୍ଚିଲେ ଏ ଶୟଳେ

ବିଷ୍ଣୁର ସର୍ଜିଲା ସଂସାର

ଅନ୍ୟ ଦେବଙ୍କୁ ଅଗୋଚର

ସେ କଥା ଜାଣିବାର ପାଇଁ

ଭୋ ମୁନି ପୁଣି ମୁଁ ପୁଚ୍ଛଇ

ସେ ବହୁ ଶକ୍ତି ମନ୍ତ୍ର ହରେ

ଯେକାଳେ ଯେବା ଶକ୍ତି ଧରେ

ଯେମନ୍ତେ ବ୍ରହ୍ମା ବିଷ୍ଣୁ ହର

କ୍ରୀଡ଼ନ କରେ ଦାମୋଦର

ବିବିଧ ରୂପ ଏ ଜଗତେ

ଯେମନ୍ତେ କରେ କ୍ରୀଡ଼ା ଅର୍ଥେ

ଅଦ୍ଭୁତ କର୍ମ ଏ ତାହାର

କେ କରି ପାରିବ ଗୋଚର

କେମନ୍ତେ ପ୍ରକୃତିର ଗୁଣେ

ସୃଷ୍ଟି ସଞ୍ଚରେ ପୁଣ ପୁଣେ

ସର୍ବ ସଞ୍ଚାରେ ଏକବାରେ

କିଅବା ପୃଥକ ବେଭାରେ

ଏକ ଅନେକ ରୂପ ଧରେ

ଅଶେଷ ଜନ୍ମ କର୍ମ କରେ

ପ୍ରାଣୀଙ୍କ ଆତ୍ମାରୂପେ ସ୍ଥିତି

କି ରୂପେ ପୁରୁଷ ପ୍ରକୃତି

ଏଣୁ ଶ୍ରବଣେ ଇଚ୍ଛା ମୋର

କହ ହେ ବ୍ୟାସଙ୍କ କୁମର

ଶବଦ ବ୍ରହ୍ମ ଗୁଣ ସାଧି

ତୁମ୍ଭର ପରମ ସମାଧି

ଶ୍ରୀସୁତ ଉବାଚ

ଶୁଣି ସାନନ୍ଦ ବ୍ୟାସସୁତ

ହରି ଚରଣେ ଦେଇ ଚିତ୍ତ

ଆନନ୍ଦେ ଚିନ୍ତି ନାରାୟଣ

କହନ୍ତି ପରୀକ୍ଷିତ ଶୁଣ

ଶ୍ରୀଶୁକ ଉବାଚ

ନମସ୍ତେ ପରମ ପୁରୁଷ

ଅଶେଷ ଘଟେ ଯେ ପ୍ରକାଶ

ଲୀଳା ବିହାରେ ସୃଷ୍ଟି କରେ

ପାଳିଣ ପୁଣି ତା ସଂହାରେ

ହେଳେ ଏ ତିନିଶକ୍ତି ଧରେ

ଜନ୍ତୁର ଅନ୍ତରେ ବିହରେ

ନମସ୍ତେ ଜଗତ ଜୀବନ

ସାଧୁଙ୍କ ବୃଜିନ ଦହନ

ଅଖିଳ ଜନ୍ତୁରୂପ ତୋର

ସମ୍ଭବାସମ୍ଭବ ବେଭାର

ପରମହଂସଙ୍କ ଆଶ୍ରମେ

ଯେ ଅବା ସ୍ଥିତ ପ୍ରାଣୀମାନେ

ତାହାଙ୍କ ଆତ୍ମତତ୍ତ୍ୱଦାତା

ନିରତେ ତୋର ପାଦେ ଚିନ୍ତା

ନମୋ ସାତ୍ତ୍ୱିକ ଗୁଣବର

ତୁ ଯୋଗୀଜନେ ଅଗୋଚରେ

ସମେ ପ୍ରକାଶୁ ସର୍ବ ପୁରେ

ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ

ନମସ୍ତେ ପରମ କାରଣ

ଯେ ନିତ୍ୟ ସୁଧା ବରଷଣ

ଯା ନାମ ଶ୍ରବଣ କୀର୍ତ୍ତନ

ଯା ରୂପ ଦେଖିଣ ନୟନ

ନମିଲେ ଯାହାର ଚରଣେ

ସ୍ୱକର୍ମ ଫଳ ସମର୍ପଣେ

ଜନ୍ତୁଙ୍କ କଳଙ୍କ ନାଶଇ

ଶ୍ରବଣ ମଙ୍ଗଳ ବୋଲାଇ

ପଣ୍ତିତ ଜନେ ଯାର ପାଦେ

ସେବା ସମ୍ପାଦି ଅପ୍ରମାଦେ

ଆତ୍ମାର କଳ୍ମଷ ନାଶନ୍ତି

ଜନ୍ମ ମରଣେ ନ ଡରନ୍ତି

ଆତ୍ମାର ଶ୍ରମ କରି ଶାନ୍ତି

ଅନ୍ତେ ଲଭଇ ବ୍ରହ୍ମଗତି

ଯେ ପ୍ରାଣୀ ତପ ଦାନ କରେ

ଯଶ ସମ୍ପାଦି ଏ ସଂସାରେ

ସୁବୁଦ୍ଧି ପଣେ ମନ୍ତ୍ର ସାଧି

ମଙ୍ଗଳ କର୍ମକୁ ଆରାଧି

ଏଣୁ ଅର୍ଜିତ ଯେତେ ଫଳ

ତୋତେ ନ ସମର୍ପି ନିଷ୍ଫଳ

ଶୁଭଦଶ୍ରବା ନାମ ଯାର

ତାହାଙ୍କୁ ମୋର ନମସ୍କାର

କିରାତଗଣ ଆଦି ଯେତେ

ପୁଳିନ୍ଦ ଚଣ୍ତାଳ ସମେତେ

ଆଭୀର କଙ୍କ ଯେ ଯବନ

ଏ ଆଦି ଯେତେ ଅନ୍ତ୍ୟଜନ

ଦୂଷ୍କର କର୍ମ ଯେ କରନ୍ତି

ଯା ପାଦ ଆଶ୍ରିତେ ତରନ୍ତି

ଯେ ହରି ଜଗତଜୀବନ

ଆତ୍ମଜ୍ଞାନୀର ଆତ୍ମଧନ

ଏ ତିନିବେଦ ଯାର ଦେହ

ଧର୍ମମୟ ଯେ ତପେ ଦେହ

ନିର୍ମଳ ଚିତ୍ତେ ଯୋଗୀଜନେ

ବ୍ରହ୍ମା ଶଙ୍କର ଅନୁମାନେ

ନାନା ପ୍ରକାରେ ଧ୍ୟାନ ଚିନ୍ତି

ଯା ରୂପ କେହି ନ ଦେଖନ୍ତି

ସେ ଲକ୍ଷ୍ମୀପତି ଯଜ୍ଞପତି

ଯାଦବବଂଶ ପତି ଗତି

ଯାହାର ଅନ୍ତମଧ୍ୟେ ସ୍ଥିତି

ଯାଦବଗଣ ଯାହା ଚିନ୍ତି

ଯାର ଚରଣ ଧ୍ୟାନବଳେ

ନିଶ୍ଚଳ ସୁନିଷ୍ଠୁର ଜଳେ

ବୁଦ୍ଧିକି ପ୍ରକ୍ଷାଳନ କରି

ଯାହା ଚିନ୍ତନ୍ତି ବ୍ରହ୍ମଚାରୀ

ସତ୍ୟ ବଚନେ ମୁନିଯୁଥେ

ସେବନ୍ତି ଯାର ପାଦଗତେ

ଯାହାର ଆଜ୍ଞା ପରମାଣେ

ଭାରତୀ ଆସି ତତକ୍ଷଣେ

ପ୍ରକାଶି କଳ୍ପ ଆଦିକାଳେ

ବ୍ରହ୍ମାର ହୃଦୟ କମଳେ

ସୃଷ୍ଟି ବିଷୟ ଲୀନ ହେଲା

ମୁଖେ ଗାୟତ୍ରୀ ଉଚ୍ଚାରିଲା

ପୃଥିବୀ ଆଦି ପଞ୍ଚଭୂତେ

ଜନ୍ତୁ ଭିଆଇ ଏ ଜଗତେ

ଜନ୍ତୁଙ୍କ ହୃଦୟ କମଳେ

ଯାର ଶୟନ ସୁଖଭୋଳେ

ଗୁଣ ସମୂହେ ସୁଖେ ଭୁଞ୍ଜେ

ଷୋଡ଼ଶୀ ଆତ୍ମରୂପେ ରାଜେ

ସେ ହରି ବସୁ ମୋର ହୃଦେ

ବାକ୍ୟ ଆବୋରି ପଦେ ପଦେ

ଯା ପାଦ ପଦ୍ମ ଜ୍ଞାନରସେ

ମୁନିଏ ପୂଜନ୍ତି ହରଷେ

ଯେ ହରି କଥା ପୂର୍ବକାଳେ

ନାରଦ ଋଷି ମୁନିମେଳେ

ବ୍ରହ୍ମାଙ୍କୁ ପଚାରିଲେ ଯେତେ

ପ୍ରସଙ୍ଗେ କହିବି ମୁଁ କେତେ

କହଇ ଦାସ ଜଗନ୍ନାଥ

ଦ୍ୱିତୀୟ ସ୍କନ୍ଧେ ଭାଗବତ

ଏ ବାଣୀ ଶୁଣି ସୁଖଭୋଳେ

ପ୍ରାଣୀ ନିସ୍ତରେ ଭବଜଳେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକପରୀକ୍ଷିତ ସମ୍ୱାଦେ ଭକ୍ତିଯୋଗ

ପ୍ରାଧାନ୍ୟ ବର୍ଣ୍ଣନେ ନାମ ଚତୁର୍ଥୋଽଧ୍ୟାୟଃ ॥

•••

 

ଶ୍ରୀମଦ୍‌ ଭାଗବତ ଦ୍ୱିତୀୟ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

 

ନାରଦ ଉବାଚ

ଆନନ୍ଦ ଚିତ୍ତେ ସେ ନାରଦ

ପୁଚ୍ଛନ୍ତି ବ୍ରହ୍ମାଙ୍କର ପାଦେ

ହେ ଦେବଦେବ ନମୋଽସ୍ତୁତେ

ଭୂତ ଭାବନ ଏ ଜଗତେ

ସୃଷ୍ଟିର ଅଗ୍ରେ ତୋର ଦେହୀ

ତୋ ଭାବ ନ ଜାଣନ୍ତି କେହି

ଆତ୍ମାର ତତ୍ତ୍ଵ ତୁମ୍ଭେ ଜାଣ

ଯେ ବେଦ ପୁରାଣେ ପ୍ରମାଣ

ଯେରୂପ ଯହିଁ ତୋର ବାସ

ଯହୁଁ ଏ ଜଗତ ପ୍ରକାଶ

ଯାହାର ଆଶ୍ରୟେ ବର୍ତ୍ତଇ

ପ୍ରକାଶି ଯହିଁ ଲୀନ ହୋଇ

ଭୂତ ଭବିଷ୍ୟ ବର୍ତ୍ତମାନ

ତୁମ୍ଭ ଗୋଚରେ ଦିବ୍ୟଜ୍ଞାନ

ହସ୍ତ ଅଏଁଳା ଫଳ ପ୍ରାୟେ

ତୁମ୍ଭ ଗୋଚରେ ଜ୍ଞାନ ରହେ

ଯେଣୁ ତୁମ୍ଭଙ୍କୁ ଜ୍ଞାନ ସ୍ଫୁରେ

ଯେବା ତୁମ୍ଭଙ୍କୁ ହୃଦେ ଧରେ

ତାହାର ବସେ କାର୍ଯ୍ୟ କର

ସ୍ୱରୂପ କିସ ବା ତୁମ୍ଭର

ବୃତେ ସଞ୍ଚରି ଭୂତ କରୁ

ଯାହାର ମାୟାରେ ବିହରୁ

ଏ ଭୂତଗଣଙ୍କୁ ଯେ ପାଳେ

ଅପରା ରବି ଆତ୍ମା ତୁଲେ

ଆପଣା ଶକ୍ତି ବଳେ ଭାବି

ଆଶ୍ରୟେ ଯେହ୍ନେ ଉର୍ଣ୍ଣନାଭି

ଏ ସୃଷ୍ଟି କର୍ମ ଅଗୋଚର

ଯେ ରୂପ ନାମ ଗୁଣ ତାର

ଜାଣେ ମୁଁ ନାହିଁ ତୋ ବାହାରେ

ଅନ୍ୟ ବା କେ ଅଛି ବେଭାରେ

ତୁମେ ଯେ ଘୋର ତପକରି

ଆତ୍ମା ସମାଧି ଅନୁସରି

ଏ ମାୟା ସୃଜିଲ କେମନ୍ତେ

ଏଣୁ ସଂଶୟ ମୋର ଚିତ୍ତେ

ତୁମ୍ଭେ ସର୍ବଜ୍ଞ ସର୍ବେଶ୍ୱର

ମୋର ସଂଶୟ ଦୂର କର

ଭକ୍ତ ଭାବରେ ପଚାରଇ

ସ୍ୱଭାବେ ପୁତ୍ର ମୁଁ ଅଟଇ

ଯେମନ୍ତେ ମୋର ଚିତ୍ତେସ୍ମରେ

ଏ ବିଶ୍ୱ ସମାଧି ଗୋଚରେ

ଏଣେ ନାରଦ ବାକ୍ୟ ଘେନି

ହରଷେ କହେ ପଦ୍ମଯୋନି

ବ୍ରହ୍ମୋବାଚ

ଧନ୍ୟ ନାରଦ ମୁନିବର

ସୁସାଧୂ ପ୍ରସ୍ତାବ ତୋହର

ତୁମ୍ଭେ ପଚାର ଜନହିତେ

ଏ ବ୍ରହ୍ମ ଭାଗବତ ଗ୍ରନ୍ଥେ

ବିଷ୍ଣୁ ମହିମା ଦରଶନେ

ପୁଚ୍ଛିଲ ବିନୟ ବଚନେ

ତୁମ୍ଭେଯେ ପଚାରିଲ ମୋତେ

ଏ ମିଥ୍ୟା ନୁହଇ ଉଚିତେ

ଯେଣୁ ଈଶ୍ୱର ପ୍ରାୟ ହୋଇ

ଏ ସୃଷ୍ଟି ମୋହର ଅଟଇ

ପରମେଶ୍ୱର ଜ୍ଞାନ ଯେଣୁ

ନାହିଁ ତୋହର ଭ୍ରାନ୍ତି ତେଣୁ

ଏ ଆଦି ମଧ୍ୟ ଅନ୍ତର୍ଗତେ

ଶୁଣ କହିବା ତାହା ତୋତେ

ବିଷ୍ଣୁର ଆଜ୍ଞା ଘେନି ଚିତ୍ତେ

ବ୍ରହ୍ମାଣ୍ତ ସଜିଲି ଯେମନ୍ତେ

ଯେମନ୍ତେ ଅର୍କ ଅଗ୍ନି ଶଶୀ

ଗ୍ରହ ନକ୍ଷତ୍ର ତାରାରାଶି

ତାହା କହିବା ତୋ ସମୀପେ

ବିଷ୍ଣୁର ଆଜ୍ଞା ବଳ ଦର୍ପେ

ଯେ ହରି ଜଗତ ଈଶ୍ୱର

ତାହାଙ୍କୁ ମୋର ନମସ୍କାର

ଯାର ମହିମା ମହାମେରୁ

ମୁଁ ଯେ ବୋଲାଇ ଶିଷ୍ୟଗୁରୁ

ଯାହାର ଇଚ୍ଛା ମାର୍ଗେସ୍ଥିତି

ଲାଜେ ଶଙ୍କିତ ଭଗବତୀ

ସେ ମାୟା ବଳେ ଏ ଜଗତ

ଅଜ୍ଞାନ ମଦେ ବିମୋହିତ

ମୁହିଁ ମୋହର ଏ ଶରୀର

ଦାରା ସମ୍ପଦ ବନ୍ଧୁ ମୋର

ଅଜ୍ଞାନ ଜନଙ୍କ ଏ ଭାବ

ସର୍ବ ସମ୍ପଦ ପଦ୍ମନାଭ

ଏ ଦ୍ରବ୍ୟକାଳ କର୍ମଜୀବ

ଜୀବର ଯେ ଅବା ସ୍ୱଭାବ

ଯେତେ ଦେଖଇ ଭିନ୍ନ ଭିନ୍ନ

ଏକଇ ଆତ୍ମା ସର୍ବଜନ

କାର୍ଯ୍ୟ କାରଣ କର୍ତ୍ତାଅର୍ଥେ

ଦ୍ରବ୍ୟଜ୍ଞାନ କ୍ରିୟା ସମେତେ

ଗୁଣେ ରହନ୍ତି ଆଶ୍ରେ କରି

ନିର୍ଗୁଣ ପୁରୁଷ ଆବୋରି

ଏ ତିନିଗୁଣେ ଲିଙ୍ଗ ଯେତେ

ମଧ୍ୟେ ବର୍ତ୍ତଇ ଅଲକ୍ଷିତେ

ମାୟା ଈଶ୍ୱର ମାୟା ବଳେ

ସୃଜେ ସ୍ୱଭାବେ କର୍ମକାଳେ

ସେ କାଳ ଗୁଣ ବ୍ୟତୀତରେ

ସୃଜଇ ପାଳଇ ସଂସାରେ

ତାର ସ୍ୱଭାବ କର୍ମ ଯୋଗେ

ମହତ ଉପୁଜିଲା ବେଗେ

ମହତ ବିକାରୁ ତକ୍ଷଣେ

ତ୍ରିଗୁଣ ଲିଙ୍ଗ ଆଭରଣେ

ତମ ପ୍ରଧାନ ଅତିରେକେ

ଯେ ଦ୍ରବ୍ୟେ ଜ୍ଞାନୀ କ୍ରିୟାତ୍ମକେ

ସ୍ୱଭାବେ ଶକ୍ତି ମହାଘୋର

ତମ ତାମସ ଅଳଙ୍କାର

ଗୁଣ ପ୍ରକାଶ ତିନି ତିନି

ବିକାର ତମ ତେଜ ଘେନି

ଯେ ଶକ୍ତିଦ୍ରବ୍ୟ କ୍ରିୟାଜ୍ଞାନ

ଏ ଭାବେ ଭେଦ ଭିନ୍ନ ଭିନ୍ନ

ସେ ଅହଙ୍କାର ଭୂତ ଆଦି

ତାମସ ଶକ୍ତି ଯହିଁ ଭେଦି

ଶବଦ ପୁଣି ମାତ୍ରା ସଞ୍ଚେ

ନଭ ପ୍ରକାଶେ ଅନ୍ତରୀକ୍ଷେ

ଶବଦ ଗୁଣେ ସେ ପ୍ରଧାନ

ଦୃଶ୍ୟଦୃଶକ ଭେଦ ସ୍ଥାନ

ଶବଦ ଗୁଣ ନଭୁଁ ହୋଇ

ଚତୁର୍ଥ ମାତ୍ରା ସଙ୍ଗେ ଲଇଁ

ନଭ ବିକାରୁ ବାୟୁ ଜାତ

ସ୍ମରଣ ଶବ୍ଦଗୁଣେ ସ୍ଥିତ

ସ୍ପରଶ ଗୁଣେ ତା ପ୍ରବଳ

ଯେ ପ୍ରାଣ ମହାତେଜ ବଳ

ପବନ ବିକାର ତକ୍ଷଣେ

ସ୍ୱଭାବେ କାଳ କର୍ମ ଗୁଣେ

ସ୍ପର୍ଶ ଯେ ଗୁଣ ତହିଁ ଥାଇ

ତୃତୀୟ ମାତ୍ରା ଲାଭ ହୋଇ

ଶବଦ ସ୍ପର୍ଶ ରୂପ ତାର

ପ୍ରଚଣ୍ତ ତେଜ ମହାଘୋର

ତେଜ ବିକାରେ ସେ ଉଦକ

ଯାର ସ୍ୱଭାବ ରସାତ୍ମକ

ଶବ୍ଦ ସ୍ପରଶ ରୂପ ତିନି

ଏ ତିନିରସ ସଙ୍ଗେ ଘେନି

ଆପ ବିକାରୁ ମହୀ ଜାତ

ସେ ପଞ୍ଚ ମାତ୍ରାଗୁଣେ ଯୁକ୍ତ

ସତ୍ତ୍ଵ ବିକାର ତହୁଁ ମନ

ଏ ରୂପେ ପ୍ରକାଶ ଗଗନ

ମନର ସଙ୍ଗେ ଦେବ ବଳ

ଦଶଇନ୍ଦ୍ରିୟ ଦିଗପାଳ

ଦିଗ ବାତର୍କ ଜଳପତି

ଅଶ୍ୱିନୀ ବହ୍ନି ସୁରପତି

ଉପେନ୍ଦ୍ର ମିତ୍ର ପ୍ରଜାପତି

ଏ ରୂପେ ନବ ପ୍ରଜାପତି

ତେଜସ ବିକାରୁ ତକ୍ଷଣେ

ଜନ୍ମିଲେ ଦଶଇନ୍ଦ୍ରି ଗଣେ

ଯେ କ୍ରିୟାଜ୍ଞାନ ବୁଦ୍ଧି ପ୍ରାଣ

ତୈଜସ ଶକ୍ତି ଏ ପ୍ରମାଣ

ଶ୍ରୁତି ଯୁଗଳ ଚର୍ମ ଘ୍ରାଣ

ନୟନ ଜିହ୍ୱା ପଞ୍ଚଜ୍ଞାନ

ବଚନ ପ୍ରାଣି ଅଘ୍ରିଂ ବେନି

ଉପର ମୂଳାଧାର ଘେନି

ଏ କର୍ମ ଇନ୍ଦ୍ରିୟ ପ୍ରକାର

ଦଶଦେବଙ୍କ ଅଧିକାର

ଭୂତ ଇନ୍ଦ୍ରିୟ ଗଣମାନ

ଏ ଯେଣୁ ନ ଲଭିଲେ ସ୍ଥାନ

ବ୍ରହ୍ମାଣ୍ତ ହେତୂ ଏ ପ୍ରତ୍ୟକ୍ଷେ

ସୂକ୍ଷ୍ମେ ରହିଲେ ଅନ୍ତରୀକ୍ଷେ

ସ୍ଥାନ ନପାଇ ଅନ୍ୟୋଅନ୍ୟେ

ସ୍ଥକିତେ ରହିଲେ ଗଗନେ

କେତେହେଁ କାଳ ଶୂନ୍ୟେ ରହି

ଏ ସର୍ବେ ବିଷ୍ଣୁ ଆଜ୍ଞା ପାଇ

ସେ ମହାଭୂତେ ସୂକ୍ଷ୍ମଭୂତେ

ଘଟିତ ଅନ୍ୟେଅନ୍ୟ ଯୂତେ

ସେ ହରି ଆଜ୍ଞା ଭକ୍ତିବେଳେ

ସେ ସର୍ବେ ହୋଇ ଏକମେଳେ

ସୁବର୍ଣ୍ଣ ଅଣ୍ତ ଉପୁଜିଲା

ତକ୍ଷଣେ ଉଦକ ପଡ଼ିଲା

ଅନେକ ସହସ୍ର ବରଷେ

ସେ ଅଣ୍ତ ମହାଜଳେ ଭାସେ

ସେ ଅଣ୍ତ ମଧ୍ୟେ ଜୀବ ଜାତ

କାଳକର୍ମ ସ୍ୱଭାବେ ସ୍ଥିତ

ସେ ସର୍ବଗୁଣ ସର୍ବସିଦ୍ଧି

କେତେହେଁ କାଳେ ଅଣ୍ତଭେଦି

ପୁରୁଷେ ହୋଇଲା ବାହାର

ଏବେ ହୋ ଶୁଣ ନୃପବର

ସହସ୍ର ଉରୁ ଅଘ୍ରିଂ ବକ୍ଷ

ସହସ୍ର ନୟନ ପ୍ରତ୍ୟକ୍ଷ

ସହସ୍ର ଶିର ସସ୍ରଭୁଜ

ଆନନ୍ଦ ଅପ୍ରମିତ ତେଜ

ଯାହାର ଦେହ ଶୂନ୍ୟ ଦେଖ

ଲୋକର ସ୍ଥାନ ଉପଲେଖ

ଦ୍ୱିସପ୍ତ ଲୋକ ତାର ଅଙ୍ଗେ

କଳ୍ପିତ ଅଧଉର୍ଦ୍ଧ୍ୱ ଭାଗେ

ମୁଖୁଁ କଳ୍ପିତ ବ୍ରହ୍ମକୁଳଁ

କ୍ଷତ୍ରିୟଜାତ ବାହୁ ମୁଳୂଁ

ଉରୁ ଯୁଗଳୁଁ ବୈଶ୍ୟଗଣେ

ଶୂଦ୍ର ଉପୁଜିଲା ଚରଣେ

ଭୂଲୋକ କଟୀଭାଗେ ସ୍ଥିତ

ନାଭିରୁ ଭୁବଲୋକ ଜାତ

ହୃଦରେ ସ୍ୱର୍ଲୋକ ନିଶ୍ଚଳେ

ମହଲ୍ଲୋକ ଯେ ଉରସ୍ଥଳେ

ଏ ଜନଲୋକ ଗ୍ରୀବାତଟେ

ତପ ବସଇ ବେନି ଓଷ୍ଠେ

ମୁର୍ଦ୍ଧନୀ ମଧ୍ୟେ ବ୍ରହ୍ମଲୋକ

ଯେ ସନାତନ ସତ୍ୟଲୋକ

ସପ୍ତ ପାତାଳ ଅଧୋଭାଗେ

ଶୁଣ କହିବା ଅନୁରାଗେ

ଅତଳ ବସେ ଜଘଂ ଦେଶେ

ଉରୁରେ ବିତଳ ପ୍ରକାଶେ

ସୁତଳ ବସେ ଜାନୁମୁଳ

ଜଘଂର ମୂଳେ ତଳାତଳ

ସେ ମହାତଳ ଗୁଳ୍‍ଫଦେଶେ

ପଦାର୍ଦ୍ଧେ ରସାତଳ ବସେ

ପାତାଳ ପାଦତଳେ ରହେ

ଏଣୁ ଭୁବନ ବିଶ୍ୱଦେହେ

ସ୍ୱର୍ଲୋକ କଳ୍ପିତ ମୁର୍ଦ୍ଧନୀ

ବିଶ୍ୱଶରୀରେ ବିଶ୍ୱମାନି

ନାରଦ ଆଗେ ବେଦବର

ଯାହା କହିଲେ ବେଦସାର

ସୁଜନ ଜନଙ୍କ ଶ୍ରବଣେ

ବ୍ରାହ୍ମଣ ଜଗନ୍ନାଥ ଭଣେ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେ

ସୃଷ୍ଟ୍ୟାଦିବିଭୂତି ବର୍ଣ୍ଣନେ ନାମ ପଞ୍ଚମୋଽଧ୍ୟାୟଃ ॥

•••

 

ଷଷ୍ଠ ଅଧ୍ୟାୟ

 

ବ୍ରହ୍ମୋବାଚ

ଶୁଣ ନାରଦ ମହାଋଷି

ବିରାଟ ରୂପେ ବ୍ରହ୍ମ ଆସି

ବ୍ରହ୍ମାଣ୍ତ ରୁପେ ପ୍ରବେଶିଲା

ଯେ ଅଙ୍ଗୁ ଯେବା ପ୍ରକାଶିଲା

ତାହା କହିବା ତୋତେ ଭଲେ

ଇନ୍ଦ୍ରିୟ ଅର୍ଥେ ଇନ୍ଦ୍ରିତୁଲେ

ବାକ୍ୟାର୍ଥ ବହ୍ନି ମୁଖେ ବସେ

ଯେଣେ ତା ଶବଦ ପ୍ରକାଶେ

ଜଳାଧିପତି ଯେହ୍ନେ ବସେ

ରସନା ଷଡ଼ରସେ ରସେ

ସପତ ଛନ୍ଦ ଧାତୁ ଯେତେ

ଦେହରେ ବେଷ୍ଟିତ ବାହ୍ୟନ୍ତେ

ପ୍ରାଣ ସହିତ ବସେ ଘ୍ରାଣ

ସୁଗନ୍ଧ ଦୁର୍ଗନ୍ଧ ଆଘ୍ରାଣ

ନାସା ବିବରେ ଆଶ୍ରା କରେ

ଅଶ୍ୱିନୀ କୁମାରଙ୍କ ତୁଲେ

ଚକ୍ଷୁ ଇନ୍ଦ୍ରିୟ ରୂପ ଅର୍ଥେ

ସୂର୍ଯ୍ୟ ପ୍ରକାଶେ ଦୃଷ୍ଟଚିତ୍ତେ

ଶବଦ ଅର୍ଥେ କର୍ଣ୍ଣ ବେନି

ଦିଗ ବସନ୍ତି ତୀର୍ଥ ଘେନି

ସେ ଦେବ ଦେହେ ଚର୍ମଦେଶେ

ସ୍ପରଶ ପବନ ପ୍ରକାଶେ

ଚର୍ମ ଉପରେ ଲୋମ ବେଢ଼ି

କେଶ ପ୍ରକାଶ ଦେହେ ଜଡ଼ି

ସେ ତିନି ମଧ୍ୟେ ତିନିଦେବା

ପାଷାଣ ଲୌହ ମେଘପ୍ରଭା

ତାର ବିକ୍ରମେ ଲୋକ ତିନି

ଭୂଲୋକ ଭୂବ ସ୍ୱର୍ଗଘେନି

ଯେ ମାର୍ଗ ଶୁକ୍ର ଘନରସେ

ତା ମେଢ଼େ ପ୍ରଜାପତି ବସେ

ମଳ ଉତ୍ସର୍ଗେ ମଳଦ୍ୱାରେ

ମୃତ୍ୟୁ ଦେବତା ଅଧିକାରେ

ଶିର ସଙ୍କୁଳେ ନଦୀନଦ

ନାଡ଼ୀ ସମୁଦ୍ରେ ହୋଇ ଭେଦ

ସପତ ସିନ୍ଧୁ ଗର୍ଭେ ରହି

ଭୋଜନେ ତୁଷ୍ଟି ପୃଷ୍ଟି ବହି

ସେ ଜୀବ ଦେହେ ପୃଷ୍ଠଦେଶେ

ଅଧର୍ମ ସଙ୍ଗେ ତମ ବସେ

ହୃଦୟ ମଧ୍ୟେ ଧର୍ମ ଦୃଶ୍ୟେ

ସର୍ବ ବ୍ୟାପକ ମନ ବସେ

ଆତ୍ମା ପୁରୁଷ ଦେହ ମଧ୍ୟେ

ବସଇ ସକଳ ସମ୍ପଦେ

ଧର୍ମ ସଙ୍ଗତେ ପଦ୍ମଯୋନି

ତା ସଙ୍ଗେ କୁମରଙ୍କୁ ଘେନି

ବିଜ୍ଞାନ ଶତରୁଦ୍ର ସଙ୍ଗେ

ସର୍ବେ ଆଶ୍ରିତ ଆତ୍ମ ରଙ୍ଗେ

ବ୍ରହ୍ମା ନାରଦ ଭବ ଆଦି

ମୁନିଏ ପୂର୍ବ ବେଦବାଦୀ

ସୁର ଅସୁର ନର ନାଗ

ଉରଗ ଖଗ ପଶୁ ମୃଗ

ଗନ୍ଧର୍ବ ଅପସରା ଯକ୍ଷ

ଭୂତ ବେତାଳଗଣ ରକ୍ଷ

ପିତର ସିଦ୍ଧ ବିଦ୍ୟାଧର

ଚାରଣ ସୁଗୁଣ କିନ୍ନର

ଦ୍ରୁମ ଔଷଧି ଲତା ଯେତେ

ବିବିଧ ଅନ୍ୟ ଜୀବଭୂତେ

ଯେ ଜଳ ସ୍ଥଳ ଅନ୍ତରୀକ୍ଷେ

ଗ୍ରହ ଆଦିତ୍ୟ କେତୁ ଋକ୍ଷେ

ତାରା ସମୂହେ ତେଜ ଝଳି

ଜୀମୁତେ ପ୍ରକାଶେ ବିଜୁଳି

ଯେ ସର୍ବ ହେତୁ ତାର ସ୍ଥାନେ

ଭୂତ ଭବିଷ୍ୟ ବର୍ତ୍ତମାନେ

ଯେ ରୂପେ ଏ ବିଶ୍ୱ ସଂସାରେ

ପ୍ରକାଶେ ଯାହାର ଶରୀରେ

ବିତସ୍ତି ମାତ୍ରେ ମଧ୍ୟେ ରହେ

ଏକେ ଅନେକ ଜନ୍ତୁ ଦେହେ

ଭିତରେ ରହେ ପ୍ରାଣ ତେଜେ

ପ୍ରକାଶେ ଅନ୍ତର ବାହିଯ୍ୟେ

ଅଭୟାମୃତ ମହେଶ୍ୱର

ଅନ୍ନ ସ୍ୱରୂପେ ରସପୁର

ତାହାର ଯେମନ୍ତ ମହିମା

ଏଣୁ ସେ ଦୁରାତ୍ମୀୟ ସୀମା

ପାଦେ ଅଶେଷ ଭୂତ ବସେ

ଅମୃତମୟ ଯେ ବିକାଶେ

ତ୍ରିପାଦେ ବହ୍ନିସ୍ଥାନେ ସ୍ଥିତି

ପ୍ରଜା ଆଶ୍ରମେ ଧର୍ମ ଚିନ୍ତି

ସ୍ୱଭାବେ ନାମ ଗ୍ରହପତି

ବିଦ୍ୟା ଅବିଦ୍ୟା ଯହିଁ ସ୍ଥିତି

ଭୂତ ଇନ୍ଦ୍ରିୟ ଗୁଣାଶ୍ରୟ

ଯାହାର ଆଶେ ମାୟାମୟ

ବିରାଜି ରୂପେ ଜାତ ହୁଏ

କିରଣ ଯେହ୍ନେ ସୂର୍ଯ୍ୟ ଦେହେ

ଯାହାର ନାଭିପଦ୍ମୁ ଜାତ

ମୁଁ ବ୍ରହ୍ମା ବ୍ରହ୍ମାଣ୍ତର ନାଥ

ଯଜ୍ଞ ସମ୍ଭାର ନ ଜାଣଇ

ଯାହାର ହୃଦେ ଦୟା ନାହିଁ

ଯାର ଶରୀରେ ଯଜ୍ଞ ବିଧି

ଆଗମ ନିଗମ ପ୍ରସିଦ୍ଧି

ପଶୁ ବନ୍ଧନ କୁଶ ଆଦି

ଯେମନ୍ତେ ଯେ ଅବା ସମ୍ପାଦି

ଯେ ଜନ ଦେବ ପିତୃ ତୋଷେ

ଯେ କାଳେ ଯେବା ପୂଣ୍ୟଦେଶେ

ଯେତେ ପ୍ରକାର ଯଜ୍ଞ କରି

ମନ୍ତ୍ର ଔଷଧି ଯେ ସଞ୍ଚାରି

ସ୍ନେହ ବିଷୟ ଲୋଭ ଆଦି

ମୃତ୍ତିକା ଜଳ ଫଳ ବିଧି

ଋକ ଯେ ଯଜୁ ସାମ ତିନି

ଚତୁର ହୋତା ଅଗ୍ନି ଘେନି

ଯେ ନାମ ଯେବା ଧରି ମନ୍ତ୍ରେ

ଯେବା ଦକ୍ଷିଣା ଯେବା ଯନ୍ତ୍ରେ

ଦେବତା ଅନୁକ୍ରମେ କଳ୍ପ

ଯେ ଭାବେ ଯେ ଅବା ସଙ୍କଳ୍ପ

ଯେ ଗତି ଯଜ୍ଞ ଯେବା ମତି

ଯେବା ଅର୍ପଣେ ଯେବା ସ୍ଥିତି

ଯଜ୍ଞ ସମ୍ଭାର ତା ଶରୀର

ଲଭିଲି ଜନ ଉପକାର

ଆଉ ବିଭୂତି ତାର ଅଙ୍ଗେ

ଯଜ୍ଞ ଆରାଧି ହବିର୍ଭାଗେ

ସକଳ ଯଜ୍ଞଭାବେ ଚିନ୍ତି

ମୋ ସଙ୍ଗେ ନବ ପ୍ରଜାପତି

ଯଜ୍ଞ ପୁରୁଷ ସ୍ଥାପି କୁଣ୍ତେ

ଯେମନ୍ତ ବିଧି କର୍ମକାଣ୍ତେ

ପୂଜିଲା ତାହାର ଚରଣେ

ଯେ ବିଧି ମନ୍ତ୍ର ଉଚ୍ଚାରଣେ

ଏହି ପ୍ରକାରେ ସର୍ବଋଷି

ପିତୃ ଦେବତା ଜନେ ତୋଷି

ଦାନବ ମାନବ ସହିତେ

ଯଜ୍ଞେ ପୂଜିଲେ ବେଦମତେ

ସେ ହରି ଅଙ୍କେ ଏ ଜଗତେ

ଯଜ୍ଞେ ପୂଜଲେ ସମାହିତେ

ଯେ ସ୍ୱୟଂ ନିର୍ଗୁଣ ଅନନ୍ତ

ମାୟା ଗୃହୀତ ଗୁଣବନ୍ତ

ଯଜ୍ଞେ ତାହାଙ୍କୁ ପୂଜାକରି

ମୁଁ ହେଲି ବିଶ୍ୱ ଅଧିକାରୀ

ସେ ହରି ଆଜ୍ଞା ଶିରେ ବହି

ମୁଁ ଯେ ସଂସାରକୁ ସର୍ଜଇ

ପାଳଇ ପ୍ରଭୁ ଚକ୍ରଧର

ଅନ୍ତେ ବିନାଶଇ ଶଙ୍କର

ସୃଷ୍ଟି ପାଳନ ସଂହାରଣ

ଏ ଆଦି କାରଣ ତ୍ରିଗୁଣ

ତୁ ଯେ ପଚାରିଲୁ ପ୍ରସ୍ତାବେ

ସଂକ୍ଷେପେ କହିଲି ମୁଁ ଏବେ

ସଦୟ ସଦଗୁରୁ ଯେତେ

ମାୟା କଳ୍ପିତ ଏ ଜଗତେ

ଏ ସର୍ବରୂପ ନାରାୟଣ

ଅନାଦି ପରମ କାରଣ

ମୋର ବଚନ ହେ ନାରଦ

କେବେହେଁ ନୁହଇ ସମ୍ପଦ

ମୋହର ମନ ସତ୍ୟେ ସ୍ଥିତି

କେବେହେଁ ନୁହେ ମିଥ୍ୟାଗତି

ମୋହର ଇନ୍ଦ୍ରିଗଣ ଦେବେ

ନ ଯାନ୍ତି ଅମାତ୍ୟ ଅମାର୍ଗେ

ଯେଣୁ ମୋ ଚିତ୍ତେ ନାରାୟଣ

ଉତ୍କଣ୍ଠା ଭାବେ ସୁମରଣ

ତପ ସମାଧି ମୋର ସ୍ଥିତି

ଯେଣୁ ବନ୍ଦିଲି ପ୍ରଜାପତି

ନିର୍ଗୁଣ ଯୋଗେ ସମାହିତ

ଏଣୁ ମୁଁ ଆତ୍ମତନ୍ତ୍ରେ ଜାତ

ତାର ଚରଣେ ନମସ୍କାର

ଯେ ଭାବେ ତୁଟଇ ସଂସାର

ଶୁଭ ଯେ ମଙ୍ଗଳ ସ୍ପର୍ଶନ

ଆନନ୍ଦମୟ ମୂଳ ଧ୍ୟାନ

ଆତ୍ମରେ ଆତ୍ମା ମାୟା କରେ

ଲୀଳାରେ ସଂସାରେ ବିହରେ

ବ୍ରହ୍ମାଦି ଦେବେ ଅଗୋଚର

ଅକୁଣ୍ଠ ମହିମା ଯାହାର

ଦୃଶ୍ୟ ଅଦୃଶ୍ୟ ସର୍ବବ୍ୟାପି

ଗଗନେ ଯେହ୍ନେ ବିଶ୍ୱରୂପୀ

ମୁଁ ଯାର ଗତି ନ ଜାଣଇ

ତୁ ତାହା ପ୍ରକାଶିବୁ କାହିଁ

ଭବ ନ ପାରେ ଯାହା ଚିନ୍ତି

ଦେବେ ଜାଣିବେ କାହିଁ ଗତି

ଯାର ମାୟାରେ ମୋହ ହୋଇ

ତା ରୂପ ତାକୁ ନ ଜାଣଇ

ଆତ୍ମାର ଅଂଶ ଆମ୍ଭେ ଯେଣୁ

କେ ତାକୁ ରୂପ ପରିମାଣୁ

ସେ ଆଦି ପୁରୁଷ ମୁରାରି

କଳ୍ପ କଳ୍ପାନ୍ତେ ସୃଷ୍ଟି କରି

ଆତ୍ମାରେ ଆତ୍ମାରୂପେ ମିଳି

ଆତ୍ମାକୁ ଆପେ ପ୍ରତିପାଳି

କେବଳ ଶୁଦ୍ଧ ଜ୍ଞାନମୟେ

ସତ୍ୟ ସ୍ୱରୂପ ସର୍ବଦେହେ

ଆଦ୍ୟା ବତାରେ ତନୁଧରି

ଲୀଳାରେ ଜଗତେ ବିହରି

କାଳ ସ୍ୱରୂପେ ସ୍ୱ ଗମନ

ଯେ ନିତ୍ୟ ଶୁଦ୍ଧ ଚଇତନ

ଦ୍ରବ୍ୟ ବିକାରେ ତିନିଗୁଣ

ବେଦମତେ ଇନ୍ଦ୍ରିୟଗଣ

ବିରାଜ ରୂପେ ମହୀ ମାଝେ

ସ୍ଥାବର ଆଦି ମହାତେଜେ

ବ୍ରହ୍ମା ଶଙ୍କର ପ୍ରଜାପତି

ଯକ୍ଷାଦି ଯେହ୍ନେ ଦିଗପତି

ତୋ ଆଦି ସନକ ସହିତେ

ସ୍ୱର୍ଗେ ଦେବତା ଛନ୍ତି ଯେତେ

ଗନ୍ଧର୍ବ ବିଦ୍ୟାଧରଗଣ

ଯେ ଯକ୍ଷ କିନ୍ନର ଚାରଣ

ରାକ୍ଷସ ସରୀସୃପ ଭାଗେ

ବାସୁକୀ ଆଦି ମହାନାଗେ

ଋଷିଙ୍କ ମଧ୍ୟେ ଶ୍ରେଷ୍ଠ ଯେତେ

ସେ ପିତୃଗଣଙ୍କ ସମେତେ

ଦୈତ୍ୟ ଦାନବ ସିଦ୍ଧକୁଳ

ପ୍ରେତ ପିଶାଚ ଭୂତବଳ

କୁଷ୍ମାଣ୍ତ ଜଳଜନ୍ତୁଗଣେ

ଯେ ନାନାବିଧ ପଶୁଗଣେ

ତା ଅନ୍ୟୁ ନାହିଁ ଯେତେ ଯେତେ

ସେ ବିକ୍ରମର ବଳଯୁତେ

ଅଣିମା ଆଦି ଅଷ୍ଟନିଧି

ଯେ ଗୁଣେ ଯେ ଅବା ପ୍ରସିଦ୍ଧି

ପ୍ରଧାନ ଗୁଣେ ଯେବା ଭୂତେ

ଅଛନ୍ତି ଭକ୍ତ ମଧ୍ୟେ ଯେତେ

ସେ ସର୍ବ ତାହାର ଶରୀରେ

ସେ ବିଷ୍ଣୁଲୀଳା ଅବତାରେ

ଏ ସର୍ବ କଥା ଗୀତା ସ୍ୱରେ

ପଶଇ ଯାର କର୍ଣ୍ଣଦ୍ୱାରେ

ସର୍ବ ଦୁରିତ କର୍ମ ନାଶେ

ଯେବା ବଦନେ ନିତ୍ୟ ଘୋଷେ

ତାହାଙ୍କ ଚରଣେ ବିଶ୍ୱାସ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେ

ସୃଷ୍ଟ୍ୟାଦି ବର୍ଣ୍ଣନେ ନାମ ଷଷ୍ଠୋଽଧ୍ୟାୟଃ॥

•••

 

ସପ୍ତମ ଅଧ୍ୟାୟ

 

ବ୍ରହ୍ମୋବାଚ

ଶୁଣ ନାରଦ ମୁନିବର

ଭବିଷ୍ୟ ଲୀଳା ଅବତାର

ଅଶେଷ ଜନଙ୍କର ହିତେ

ଶୁଣ କହିବା ତୋ ଅଗ୍ରତେ

ପଦ୍ମ କଳ୍ପର ଅନ୍ତେ ହରି

ଶୁକର ରୂପେ ଅବତରି

ସେ ସର୍ବ ଯଜ୍ଞମୟ ପାତ୍ରେ

ଧରଣୀ ଉଦ୍ଧରିବା ଅର୍ଥେ

ଆଦି ଅସୁର ଅବତାର

ପ୍ରଚଣ୍ତ ହିରଣ୍ୟାକ୍ଷ ବୀର

ତାହାକୁ ମହାର୍ଣ୍ଣବ ଜଳେ

ଦନ୍ତେ ବିଦାରିଲେ ପାତାଳେ

ବଜ୍ରେ ଯେସନେ ମହୀଧର

ହେଳେ ବିନାଶିଲେ ଅସୁର

ସେ ପୁଣି ଋଷି ରୁଚି ଘରେ

ଜନ୍ମିଲେ ଆକୂତି ଉଦରେ

ସେ ଜନ୍ମ ଯଜ୍ଞରୂପେ ହରି

ଦକ୍ଷିଣା ଗର୍ଭେ ବୀର୍ଯ୍ୟ ଭରି

ସର୍ବ ଦେବଙ୍କୁ ଜାତ କଲେ

ତ୍ରିଲୋକ ଭୟ ନିବାରିଲେ

ଯେ ମନୁ ବ୍ରହ୍ମାର ନନ୍ଦନ

ହରଷେ ଦେଲେ ହରିନାମ

କର୍ଦ୍ଦମ ଋଷି ଘରେ ପୂର୍ବେ

ଜନ୍ମିଲେ ଦେବହୁତୀ ଗର୍ଭେ

ଜନ୍ମିଣ ଜନନୀର ଦୁଃଖ

ଜ୍ଞାନେ ହରିଲେ ପଦ୍ମମୁଖେ

ତାର ସଙ୍ଗତେ ନରନାରୀ

ଜନ୍ମିଲେ ଦିବ୍ୟରୂପ ଧରି

ଆତ୍ମାର ଗତି ମାତା ଆଗେ

କହିଲେ ତତ୍ତ୍ଵ ଅନୁରାଗେ

ତାହାକୁ ମାୟାରୁ ଉଦ୍ଧରି

କପିଳ ରୂପେ ନରହରି

ଅତ୍ରି ମାଗିଲେ ତାଙ୍କୁ ବର

ହୋଇବ ଆମ୍ଭର କୁମର

କହନ୍ତି ଦେବୁଁ ନିଶ୍ଚେ ବର

ହୋଇବୁଁ ତୁମ୍ଭର କୁମର

ସେହି ହେତୁର ତାଙ୍କ ନାମ

ଦତ୍ତାତ୍ରେୟ ଯେ ହେଲା ଜାଣ

ତତ୍ତ୍ୱ ବଚନେ ବର୍ତ୍ତମାନ

ସୁନ୍ଦର କାମ ନୁହେଁ ସମ

ଧରଣୀ ପର୍ଯ୍ୟଟନ କଲେ

ଅନେକ ତପ ଆଚରିଲେ

ନହୁଷ ଯଦୁ ଆଦି ରାଜା

ଯାର ଚରଣେ କଲେ ପୂଜା

ଯୋଗ ସମାଧି ସମ୍ପାଦିଲେ

ଜନ୍ମ ମରଣୁ ନିସ୍ତରିଲେ

ସୃଷ୍ଟି ଉଦ୍ଧାରେ ମନ କରି

ଲୋକଙ୍କ ହିତେ ଅବତରି

ତପର ଛଳେ ଭଗବାନ

ହୋଇଲେ ଚତୁଃସନାତନ

ଯେ ଯୋଗ ପୂର୍ବକାଳେ ଥିଲା

ଅଳ୍ପ ସକଳ୍ପେ ନାଶ ଗଲା

ତାହା ଉଦ୍ଧରେ ଯୋଗବଳେ

ସଂସାର ଭିଆଇଲେ ଛଳେ

ଦକ୍ଷ କୁମାରୀ ଗର୍ଭେ ହରି

ଧର୍ମର ବୀର୍ଯ୍ୟେ ଅବତରି

ସେ ଦକ୍ଷ କନ୍ୟା ମୂର୍ତ୍ତିନାମ

ସର୍ବ ସୁନ୍ଦର ଗୁଣଧର୍ମ

ତାର ଉଦରେ ପୂର୍ବ କଳ୍ପେ

ଜନ୍ମିଲେ ନାରାୟଣ ରୂପେ

ନର ଶରୀର ହରି ନାମ

ସର୍ବ ସମ୍ପଦ ପୂର୍ବଧାମ

ନିଶ୍ଚଳ ଯୋଗ ତପ ଧ୍ୟାନେ

ବସିଲା ବଦରିକାଶ୍ରମେ

ଦିବ୍ୟ ସୁବେଶ ନାନାରଙ୍ଗେ

ଆସି ମିଳିଲେ ତପଭଙ୍ଗେ

ତହିଁ ଉର୍ବଶୀ ରୂପ ଦେଖି

ଲାଜେ ହୋଇଲେ ଅଧୋମୁଖୀ

କାହୁଁ କରିବେ ତପନାଶ

ବାହୁଡ଼ି ଅଇଲେ ନିରାଶ

କୋପ ନୟନେ ମୁନିଜନ

କାମକୁ କରନ୍ତି ଦହନ

କୋପକୁ ନ ପାରନ୍ତି ଦହି

କୋପ ପ୍ରବେଶ ଯହିଁ ନାହିଁ

ଉତ୍ତାନ ପାଦ ରାଜା କୋଳେ

ଧ୍ରୁବ ବାଳକ ସ୍ନେହ ଭୋଳେ

ବସିବ ବୋଲି ବିଚାରିଲା

ମାତା ସପତ୍ନୀ ଗାଳିଦେଲା

ସେ ନିଜେ ଜନନୀ ବଚନେ

ଅରଣ୍ୟେ ଗଲା ଦୁଃଖ ମନେ

ଅତି କଠୋର ତପ କଲା

ତାହାକୁ ଧ୍ରୁବ ପଦ ଦେଲା

ମୁନି ଯେ ତାର ତଳେ ଥାଇ

ଧ୍ରୁବ ତପସ୍ୟା ଫଳ ଚାହିଁ

ସ୍ତୁତି କରନ୍ତି ତାର ତପେ

ଜନନୀ ଦେଖ ତା ସମୀପେ

ବେଣୁ ଯେ ସତ୍ୟଯୁଗେ ରାଜା

ଅଧର୍ମେ ପାଳେ ଜନ ପ୍ରଜା

ହରିଙ୍କି ନ ସ୍ଥାପଇ ଭଲେ

ବ୍ରାହ୍ମଣ କୋପେ ତା ମାଇଲେ

ରାଜା ମରଣେ ଅରାଜକେ

ପ୍ରଜା ନାଶିଲେ ଦୁଷ୍ଟଲୋକେ

ତା ଦେଖି ଦ୍ୱିଜ ସ୍ତୁତି କରେ

ତକ୍ଷଣେ ପୁତ୍ର ରୂପ ଧରେ

ହରି ଜନ୍ମିଲେ ରାଜାକୂଳେ

ପୃଥିବୀ ଦୁହିଁ ବାହୁବଳେ

ପ୍ରଜାଙ୍କୁ ଶସ୍ୟବୀଜ ଦେଲେ

ଅନେକ କଷ୍ଟୁ ନିସ୍ତାରିଲେ

ନାଭିର ବୀର୍ଯ୍ୟେ ସେ ଅନନ୍ତ

ସୁବେଦୀ ଉଦରେ ସମ୍ଭୁତ

କପଟେ ଜଡ଼ରୂପ ଧରି

ସକଳ ଯୋଗ ସାଧ୍ୟ କରି

ପରମହଂସ ମୁନିଗଣେ

ନମନ୍ତି ଯାହାର ଚରଣେ

ଶାନ୍ତ ପ୍ରଶାନ୍ତ ଅନ୍ତର୍ଗତ

ଅଶେଷ ସଙ୍ଗରୁ ବିମୁକ୍ତ

ପୁଣି ମୋହର ଯଜ୍ଞଶାଳେ

ସେହୁ ଉପୁଜିଲେ ଅନଳେ

ନର ଶରୀର ଅଶ୍ୱ ଶିର

ସୁବର୍ଣ୍ଣ ବର୍ଣ୍ଣ ଜଟାଭାର

ସକଳ ବେଦ ଯଜ୍ଞମୟେ

ଅଖିଳ ଆତ୍ମା ନିଜ ଦେହେ

ତାର ନିଃଶ୍ୱାସୁ ବେଦ ତିନି

ଜନ୍ମିଲେ କର୍ମକାଣ୍ତ ଘେନି

ଯୁଗାନ୍ତ କାଳେ ମହାଜଳେ

ରାଜା ତର୍ପଣ କରି ଗଲେ

ମିଳିଲେ ମତ୍ସ୍ୟ ରୂପ ଧରି

ରାଜା ତାରଣେ ନରହରି

ଯୋଗ ବିପ୍ଳବେ ଜଳରାଶି

ଥିଲା ଯେ ମହାଜଳେ ମିଶି

ସେ ବେଦ ସଲିଳୁ ଉଦ୍ଧାରି

ମନୁଙ୍କୁ ଦେଲେ ନରହରି

ବାସବ ସମ୍ପଦ ଉଦ୍ଧାରେ

କ୍ଷୀର ସମୁଦ୍ର ମନ୍ଥିବାରେ

ମିଳି ସକଳ ଦେବାସୁର

ସମୁଦ୍ରେ ସ୍ଥାପିଲେ ମନ୍ଦିର

ଅଗାଧ ଜଳେ ମଧୁଅରି

ମିଳିଲେ କୂର୍ମରୂପ ଧରି

ପୃଷ୍ଠେ ଧଇଲେ ଗିରିବର

ମନ୍ଥନ କଲେ ଦେବାସୁର

ଗିରି ଘର୍ଷଣେ କଣ୍ତୁ ସୁଖେ

ନିଦ୍ରା ଶୟନେ ଉର୍ଦ୍ଧ୍ୱମୁଖେ

ପୁଣି ନୃସିଂହ ରୂପ ଧରି

ହିରଣ୍ୟକଶିପୁ ବିଦାରି

ଭ୍ରମଇ ଭ୍ରୁକୁଟି କୁଟୀଳ

ଦିଶେ ଶ୍ରୀମୁଖ ବିକରାଳ

ଗଦା ବୁଲାଇ ଅତି ବେଗେ

ଦୈତ୍ୟ ମିଳିଲା ସିଂହ ଆଗେ

ଦକ୍ଷିଣେ ଉରୁ ମଧ୍ୟେ ଧରି

ନଖାଗ୍ରେ ହୃଦୟ ବିଦାରି

ମହା ଦୈତ୍ୟକୁ ନାଶ କଲେ

ସଂସାର ସଙ୍କଟୁ ତାରିଲେ

ଅଗାଧ ସରୋବର ମଧ୍ୟେ

କୁମ୍ଭୀର ଗଜ ଇନ୍ଦ୍ରପଦେ

ଧଇଲା ଅତି ଦକ୍ଷବଳେ

ହସ୍ତୀର ଚରଣେ ନିଶ୍ଚଳେ

ଚଳି ନ ପାରି ଯୂଥପତି

ଆରତେ ଭଜିଲା ଶ୍ରୀପତି

ହସ୍ତ କମଳ ଉର୍ଦ୍ଧ୍ୱେ ତୋଳି

ନୟନୁ ଅଶ୍ରୁ ଜଳ ଗଳି

ଆଦି ପୁରୁଷ ଲୋକନାଥ

ତୀର୍ଥ ପବିତ୍ର ତୋର ଚିତ୍ତ

ଶ୍ରବଣ ମଙ୍ଗଳ ତୋ ନାମ

ପୁଣ୍ୟ ପୁରୁଷ ଗୁଣଧାମ

ମୁଁ ଅନ୍ତଃସାରେ ଉରୁବଳେ

ଗ୍ରାହ ପୀଡ଼ନେ ଶୀତ ଜଳେ

ତୋ ବିନା ଆଉ ଗତି ନାହିଁ

ମୋ ପ୍ରାଣ ରଖ ଭାବଗ୍ରାହୀ

ରଖ ନ ରଖ ତୋ ଶରଣ

ତୁ ଯେଣୁ ଅଖିଳ କାରଣ

ସେ ହରି ସ୍ଥିତି ଅନୁସ୍ୱନେ

ଗଜ ବିକଳ ଯୋଗଧ୍ୟାନେ

ମରଣ କାଳେ ସୁମରିଲା

ବିଷ୍ଣୁର ସମାଧି ଭାଜିଲା

ଯାର ମହିମା ଅପ୍ରମେୟ

ନିମିଷେ ବହେ ନାନା ଦେହ

ଦକ୍ଷିଣ ଭୂଜେ ଚକ୍ର ଧରି

ଗରୁଡ଼ କନ୍ଧେ ବିଜେ କରି

ଚକ୍ର ପ୍ରହାରେ ଗ୍ରାହମାରି

ହସ୍ତୀର ହସ୍ତ କରେ ଧରି

ଜଳୁ ଉଦ୍ଧାରି ନାରାୟଣ

ଅନ୍ତର କଲେ ତତକ୍ଷଣ

ଅଦିତି ପୁତ୍ରଙ୍କର ମାନ

ନିର୍ଗୁଣ ଶରୀରେ ବାମନ

ବଳିକି ଛଳିବାର ଆଶେ

ଇନ୍ଦ୍ରାଦି ଦେବଙ୍କ ବିଶ୍ୱାସେ

କପଟେ ଦ୍ୱିଜ ରୂପ ଧରି

ଦାନେ ସମ୍ପଦ ତାର ହରି

ତ୍ରିପାଦେ ତିନିଲୋକ ଜିଣି

ଏ ଅଧିଯଜ୍ଞ ନାମଭଣି

ସେ ବଳି ଦୃଢ଼ ସତ୍ୟ ମନେ

କୃଷ୍ଣ ଚରଣେ ଆରାଧନେ

ଶୁକ୍ରର ବୋଲ ନ ଶୁଣିଲା

ତ୍ରିପାଦ ଭୂମି ଦାନ ଦେଲା

ବିଷ୍ଣୁର ପଦତଳେ ଇଚ୍ଛା

ଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା

ସର୍ବ ସମ୍ପଦ ଆତ୍ମା ତୁଲେ

ଅର୍ପିଲେ ବିଷ୍ଣୁପାଦ ମୂଳେ

ତୁ ଯେ ନାରଦ ତାର ଅଂଶେ

ଶରୀର ବହୁ ମୋର ବଂଶେ

ତପେ ଲଭିଲୁ ଦିବ୍ୟଜ୍ଞାନ

ଯୋଗେ ହୋଇଲୁ ଯୋଗୀଜନ

ମନୁଙ୍କ ମଧ୍ୟେ ମନୁବଂଶେ

ସମ୍ଭବ ଚକ୍ରବର୍ତ୍ତୀ ଅଂଶେ

ଦୁଷ୍ଟ ରାଜାଙ୍କୁ ଦଶଦିଗେ

ଜିଣି ସ୍ଥାପିଲେ ସାଧୁମାର୍ଗେ

ସେ ଧନ୍ୱନ୍ତରୀ ରୂପଧରି

ବ୍ରହ୍ମାଣ୍ତ ମଧ୍ୟେ ଅବତରି

ହରିଲେ ପ୍ରାଣୀଙ୍କର ବ୍ୟାଧି

ଭିଆଇ ମନ୍ତ୍ର ମହୌଷଧି

ଯଜ୍ଞେ ସ୍ୱଭାଗ ଭୋଗକଲା

ପ୍ରାଣୀଙ୍କୁ ଆୟୁର୍ବଳ ଦେଲା

ବ୍ରାହ୍ମଣ ଦ୍ରୋହୀ ଦେଖି କୋପେ

କ୍ଷତ୍ରୀଙ୍କୁ ପର୍ଶୁରାମ ରୂପେ

ପରଶୁ ଦକ୍ଷ ଭୂଜେ ଧରି

ଅବନୀ ପର୍ଯ୍ୟଟନ କରି

କ୍ଷତ୍ରିୟ ରୁଧିର ତର୍ପଣେ

ତୋଷିଲେ ନିଜ ପିତୃଗଣେ

ମୋହର ବଚନେ ଦୈତାରି

ଇକ୍ଷ୍ୱାକୁ ବଂଶେ ଅବତରି

ପିତୃ ବଚନେ ଗଲେ ବନେ

ସପତ୍ନୀ ସୁମିତ୍ରାନନ୍ଦନେ

ସୀତା ରାବଣ ହରିନେଲା

ସେ କୋପେ ତା ବଂଶ ମାରିଲା

ବିଭୀଷଣକୁ ଲଙ୍କା ଦେଲେ

ଦେବଙ୍କ ଭୟ ନିବାରିଲେ

ଜଳଧିପତି ଭୟ କରି

ନାରାଚେ ଫଳରୂପେ ଧରି

ଚରଣେ ଶରଣ ପଶିଲା

ଲଙ୍କା ଗମନେ ମାର୍ଗ ଦେଲା

ଦିଗ ବିଜୟେ ଲଙ୍କପତି

ଐରାବତ ନାମରେ ହସ୍ତୀ

ତାହାର ସଙ୍ଗେ ବାଦ କରି

ବାହୁ ପ୍ରହାରେ ଗିରି ଚୂରି

ଦେଖି ଭାଜିଲା ଗଜଶ୍ରେଷ୍ଠ

ରାବଣ ସଙ୍ଗେ କାହିଁ ହଟ

ସେହି ରାବଣ ଦର୍ପରଣେ

ସେ ରାମ ସଂହାରିଲେ ବାଣେ

ଭୂମିର ଭାରା ନିବାରଣେ

କ୍ଷୀର ସମୁଦ୍ରେ ଦେବଗଣେ

ଈଶ୍ୱର ଘେନି ଦେବ ବଳେ

ନମିଲେ ବିଷ୍ଣୁ ପାଦତଳେ

ଅନେକ ମତେ ସ୍ତୁତି ଭଣି

ବିଷ୍ଣୁ ସନ୍ତୋଷ ତାହା ଣୁଣି

ସନ୍ତୋଷେ ଶୁକ୍ଳ କୃଷ୍ଣ କେଶ

ଉରୁ ଉପାଡ଼ି ହୃଷିକେଶ

ସେ ବେନି ଲୋମ ମହୀତଳେ

ଅସୁର ବଳ ସଂହାରିଲେ

ତରିଲେ ଅବନୀର ଭାର

ମହା ମହିମ ଚକ୍ରଧର

ତୃତୀୟ ଦିନେ ନାରାୟଣ

ଶୋଷିଲେ ପୁତନାର ପ୍ରାଣ

ମାସକେ ନନ୍ଦ ଘରେ ହରି

ପାଦେ ଶକଟା ଚୂର କରି

ପୁଣି ଦଧି ମନ୍ଥନେ ଧରି

ରୋଳେ ବାନ୍ଧିଲା ନନ୍ଦ ନାରୀ

ସେ ରୋଳ ଘେନି ନନ୍ଦବଳା

ବେନି ଅର୍ଜ୍ଜୁନ ମଧ୍ୟେ ଥିଲା

ଅତି ଉତ୍ସର୍ଗ ବେନି ବୃକ୍ଷେ

ଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ

ସେ ପୁଣି ଗୋବତ୍ସା ରକ୍ଷଣେ

କାଳିନ୍ଦୀ ତଟେ କୁଞ୍ଜବନେ

ବତ୍ସା ବାଳକ ବିଷଜଳେ

ପଶିଲେ ତୃଷାର ଆକୁଳେ

ସକଳ କଲେ ଜଳପାନ

ତକ୍ଷଣେ ହାରିଲେ ଚେତନ

ଅଦ୍ଭୁତ ଦେଖି ଭାବଗ୍ରାହୀ

ଅମୃତ ନୟନେ ଅନାଇ

ତାହାଙ୍କୁ ଜୀବଦାନ ଦେଲେ

ସେ ଜଳେ ସର୍ପକୁ ଦେଖିଲେ

ଦୂରେ ନିରେଖି ନାଗକୁଳ

ଅମୃତ କଲେ ବର୍ଷାଜଳ

ଜନ୍ତୁଙ୍କୁ କରାଇଲେ ପାନ

ଅଦ୍ଭୁତ ଗତି ଭଗବାନ

ଅମ୍ବିକା ବନେ ଗୋପୀଜନେ

ଶୟନେ ନିଶି ଅର୍ଦ୍ଧମାନେ

ଅଗ୍ନି ବେଢ଼ିଲା ବନେ ଆସି

ପ୍ରଳୟାନଳ ପ୍ରାୟେ ଗ୍ରାସି

ଅନଳ ଦେଖି ନନ୍ଦବଳା

ବଦନ ଲୁଚାଅ ବୋଇଲା

ଡରେ ଲୁଚାଇଲେ ବଦନ

ଗୋବିନ୍ଦ କଲେ ଅଗ୍ନିପାନ

ମାତାର କୋଳେ ବସିଥିଲେ

ଚୁମ୍ୱନେ ମୁଖ ବିସ୍ତାରିଲେ

ଗୋପୀ ଚାହିଁଲେ ତା ବଦନ

ଉଦରେ ଅଶେଷ ଭୁବନ

ବରୁଣପୁର ଦଇତ୍ୟାରି

ନନ୍ଦର ବନ୍ଦୀ ମୋକ୍ଷ କରି

ସେ ପୁଣି ବଳଦେବ ସଙ୍ଗେ

ବନ ବିହାର ଶିଶୁ ରଙ୍ଗେ

ବ୍ୟୋମା ଅସୁର ମାୟା କଲା

ଗୋପାଳ ପୁଅଙ୍କୁ ହରିଲା

ଗିରି ଗହ୍ୱରେ ନେଇ ଥୋଇ

ଦ୍ୱାର ରୁନ୍ଧିଲା ଶିଳାଦେଇ

ତାହା ଜାଣିଲେ ଚକ୍ରପାଣି

ବନ୍ଦିରୁ ଗୋପସୁତ ଆଣି

ଅସୁର ଜୀବନ ହରିଲେ

ପୁଣି ଅଦ୍ଭୁତ କର୍ମ କଲେ

ବରୁଣପୁର ଯେତେବଳେ

ନନ୍ଦକୁ ଆଣିଲେ ଗୋକୁଳେ

ଗୋପାଳେ ବରୁଣ ଭୁବନ

ଦେଖିବା ଅର୍ଥେ କଲେ ମନ

ତାହାଙ୍କୁ ନିଦ୍ରାବଳେ ନେଇ

ବରୁଣ ଭୁବନ ଦେଖାଇ

ପୁଣି ଦୟାରେ ଭଗବାନ

ଦେଖାଇ କୁବେର ଭୁବନ

ଗୋପାଳେ ନନ୍ଦ ଗୋପମେଳେ

ଇନ୍ଦ୍ର ଉତ୍ସବ ଯଜ୍ଞକାଳେ

ଗୋବିନ୍ଦ ବାକ୍ୟେ ଯଜ୍ଞ ଭାଜି

ପର୍ବତ ଗୋବର୍ଦ୍ଧନ ପୂଜି

ଇନ୍ଦ୍ର ବରଷେ କୋପ କରି

ପ୍ରଳୟ କାଳେ ଯେହ୍ନେ ବାରି

ତା ଦେଖି କୃଷ୍ଣ ଦୟା ଚିତ୍ତେ

ଗୋରୁ ଗୋପାଳଙ୍କ ସହିତେ

ସପ୍ତ ବରଷର କୁମର

ହସ୍ତେ ଉପାଡ଼ି ଗିରିବର

ଛତ୍ର ଆକାରେ ବାମ କରେ

ଧଇଲେ ଅଙ୍ଗୁଳି ଉପରେ

ସପତ ଦିନ ବୃଷ୍ଟି କଲା

ଶ୍ରୀକୃଷ୍ଣ କରେ ଗିରି ଥିଲା

ଭୟେ ଚିନ୍ତଇ ସୁରରାୟେ

ଶରଣ ଗଲା କୃଷ୍ଣ ପାୟେ

ଗୋରୁ ବାଳକ ଘେନି ସଙ୍ଗେ

ପୁଜିଲା କୃଷ୍ଣ ପାଦଯୁଗେ

ଗୋବିନ୍ଦ ନାମ ଦେଇ ଗଲା

ସନ୍ତୋଷେ ପୁରେ ପ୍ରବେଶିଲା

ପୁଣି ଶରତ ଋତୁକାଳେ

ଗୋବିନ୍ଦ ମାୟା ଯୋଗବଳେ

ରାତ୍ରେ ଶଶାଙ୍କ ଛବି ଚାହିଁ

ରାସ ଉତ୍ସବେ ଭାବଗ୍ରାହୀ

ମଧୁର ବେଣୁନାଦ ଗୀତେ

ମନ ମୋହିଲେ କାମାରତେ

ଅନଙ୍ଗ ମୋହେ ବ୍ରଜନାରୀ

ଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି

ଶୁଣି ଗୋବିନ୍ଦ ବେଣୁସ୍ୱନ

ମିଳିଲା କୁବେର ନନ୍ଦନ

ଗୋପୀଙ୍କି ଗିଳିବାର ଆଶେ

ସର୍ପ ଯେ ଥିଲା ବନଦେଶେ

ତାହାଙ୍କୁ ଦେଖି ବେଣୁଧର

ପାଦ ପ୍ରହାରେ କଲେ ଚୂର

ମଣି ହରିଲେ ତାର ଶିରୁ

ଅଶେଷ ଜନ ପିତାଗୁରୁ

ଦର୍ଶନେ ସର୍ପ ଦେହ ଗଲା

ବ୍ରାହ୍ମଣ ଶାପୁଁ ନିସ୍ତରିଲା

ପ୍ରଳମ୍ବା ଅଘା ବକାସୁର

କେଶୀ ଧେନୁକା ଷଣ୍ଢାବୀର

ମୁଷ୍ଟିକ ମଲ୍ଲ କୁବଳୟା

କଂସ ଯବନ ଘୋରମାୟା

ନାରକା ଶାଲୁ ପୁଣ୍ତରୀକ

କପି ବୈଖାଳ ଦନ୍ତବକ୍ର

ସପତ ଷଣ୍ଢା ବିଦୁରଥ

ସମ୍ବର ରୁକ୍ମିଣୀର ଭ୍ରାତ

କାଳ ଦମନ କୁରୁବୀରେ

ଦୁଷ୍ଟ ଦୁର୍ଜୟ ସେ ଅସୁରେ

ଏହାଙ୍କୁ ସମରେ ନିବାରି

ଭୀମ ଅର୍ଜ୍ଜୁନ ସଙ୍ଗେ କରି

ପରମପଦେ ଦେଲେ ସ୍ଥାନ

ମାୟା ମନୁଷ୍ୟ ଭଗବାନ

ଏ କଳିକାଳ ସର୍ପ ବଳେ

ପ୍ରାଣୀଏ ଚେତନା ଚଞ୍ଚଳେ

ଭକ୍ତି ଯେ ନ ପାରନ୍ତି ଧରି

ଚଞ୍ଚଳ ଚିତ୍ତ ଦେଖି ହରି

ଜନ୍ମିଲା ବ୍ୟାସ ରୂପ ଧରି

ଅଶେଷ ସ୍ତୃତି ଶ୍ରୁତି କରି

ବେଦ ବୃକ୍ଷକୁ ଶାଖା କଲେ

ଏକୁ ଅନେକ ବୁଦ୍ଧି ବଳେ

ଅସୁରେ ତେଜି ବେଦ ମାର୍ଗେ

ମାୟା ବିମାନେ କଳିଯୁଗେ

ତାହାଙ୍କ ନିସ୍ତାର ଯେମନ୍ତେ

ଦୃଶ୍ୟ ଅଦୃଶ୍ୟ ଶୂନ୍ୟ ପଥେ

କରିଲେ ବହୁ ଜନହିତ

ସେ କଥା ଜାଣି ଜଗନ୍ନାଥ

କପଟେ ମାୟା ମୋହପାଶେ

ପାଷାଣ୍ତ ମାର୍ଗ ଉପଦେଶେ

ଅଜ୍ଞାନୀ ମଦେ ନ ବୁଝିବେ

ସୁଜନ ଜନଙ୍କୁ ହିଂସିବେ

ବିଷ୍ଣୁ ସ୍ମରଣ ଗୁଣ କଥା

ନ କରି ଅନ୍ୟମାର୍ଗେ ଚିନ୍ତା

ଦ୍ୱିଜେ ପାଷଣ୍ତ ଆଚରିବେ

ସ୍ୱଧର୍ମ ଯଜ୍ଞ ନ କରିବେ

ରାଜା ହୋଇବେ ଶୂଦ୍ର ଜନେ

ପ୍ରଜା ପାଳିବେ କର ଧନେ

ଯେ ସ୍ୱାହା ସ୍ୱଧା ବଷଟ୍‌କାର

ଛାଡ଼ି କରିବେ ଦୂରାଚାର

ଏ କର୍ମ ଦେଖି କଳ୍‌କୀ ରୂପେ

ଅଶ୍ୱ ଆରୋହି ମହାକୋପେ

ଖଡ଼୍‌ଗେ ସଂହାରି ବେନି ହସ୍ତେ

ପାଷାଣ୍ଡ ଜନ ଏ ଜଗତେ

ଶେଷେ ସ୍ଥାପିବେ ଧର୍ମ ପଥେ

ସେବକ ଜନ ଏ ଜଗତେ

ଯେ ସ୍ୱାର୍ଥ ତପ ବ୍ରହ୍ମ ଗତି

ନବ ଋଷି ଯେ ପ୍ରଜାପତି

ଯେ ଜ୍ଞାନ ଅର୍ଥ ତପ କାମ

ଯଜ୍ଞ ସମ୍ଭାର ଅନୁପମ

ଅମରଗଣେ ରାଜାଗଣ

ସଂହାରେ ଅଧର୍ମ କାରଣ

ହର ହରଇ ତିନିପୁର

ଯେ ସର୍ବ ବିଷ୍ଣୁର ଶରୀର

ଏଣୁ ସେ ମାୟାରୂପ ଧରେ

କଳ୍ପ କଳ୍ପାନ୍ତେ ସୃଷ୍ଟିକରେ

ସେ ବିଷ୍ଣୁ ମହିମା ସଂସାରେ

କେ ପୁଣ ସଂଖ୍ୟା କରିପାରେ

ଯେ କବି ଭୂମି ରେଣୁ ଗଣି

ସେହୁ ନ ପାରିବେ ପ୍ରମାଣି

ସେ ବିଷ୍ଣୁ ପଦ୍ମପାଦ ଘାତେ

ବ୍ରହ୍ମାଣ୍ଡ ଫାଟିଲା ତୁରିତେ

ସ୍ୱର୍ଧୁନି ଛାଡ଼ି ଭୂମିଗତେ

ଆକାଶୁ ପଡ଼ନ୍ତେ ତୁରିତେ

ନିଜ ଶରୀରେ ତା ରଖିଲା

ସେ ଘୋଷେ ପ୍ରକୃତି କମ୍ପିଲା

ଏମନ୍ତ ହରିର ମହିମା

କେ ଜାଣିପାରେ ଗୁଣ ସୀମା

ତୋର ଅଗ୍ରଜ ମୁନି ଶାନ୍ତ

ସେ କାହିଁ ପାଇବ ତା ଅନ୍ତ

ବ୍ରହ୍ମ ଶଙ୍କର ନ ପ୍ରମାଣେ

ଅପରେ କେବା ତାହା ଜାଣେ

ବାସୁକୀ ଅୟୁତ ବଦନେ

ସମତା ନୁହେଁ ଗୁଣଗାନେ

ଏବେ ନାରଦ ଶୁଣ ଧୀରେ

ଯେବା ତରିଲେ ମାୟାଘୋରେ

ତା ମାୟା ଜାଣି ଚିତ୍ତ ଡ଼ରେ

ସେ ଯେ ସଂସାରୁ ତରିଗଲେ

ମୁହିଁ ଜଣାଇ ମାୟା ତାର

ତୁ ଜାଣୁ ଜାଣଇ ଶଙ୍କର

ପ୍ରହ୍ଲାଦ ଜାଣେ ଅନ୍ତର୍ଗତେ

ମନୁ ଯେ କୁଟୁମ୍ବ ସହିତେ

ପ୍ରାଚୀବରହି ଚତୁରଙ୍ଗ

ଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ

ବିଧେୟ ସୋମପୁତ୍ର ଗାଧି

ରଘୁ ଅମ୍ବରୀଷ ସୁବୁଦ୍ଧି

ଗୟା ନହୁଷ ଆଦି ଯେତେ

ଶୁଣ ନାରଦ କହୁ ତୋତେ

ମାନ୍ଧାତା ନହୁସୁତ ଧନୁ

ଶିରେ ତରନ୍ତି ଗଙ୍ଗାସୂନୁ

ଯେ ବେଦମତୀ ବଳି ରାଜା

ରାୟ ଦିଲ୍ଲୀପର ତନୁଜା

କେବଳ ପିପଲାଦ ଶିବ

ସାରସ୍ୱତ ସଙ୍ଗେ ଉଦ୍ଧବ

ଯେ ପରାଶର ଭୁରିଶେଣ

ରାବଣ ଭ୍ରାତା କୁମ୍ଭକର୍ଣ୍ଣ

ବାମନ ବିପ୍ର ଦେବଦତ୍ତ

ବିଦୁର ସୁତ ସେ ବିପଥ

ବ୍ରାହ୍ମଣ ଶୂଦ୍ର ଦେବ ତୁଲେ

ବିଷ୍ଣୁ ମାୟାରୁ ତରିଗଲେ

ଶୁଣ ସୁଜନେ ଶୂଦ୍ରନାରୀ

ଶବଦ ତୁଲେ ଗଲେ ତରି

ଅଦ୍ଭୁତ କର୍ମ ତାହାଙ୍କର

ଯେ ଭାବେ ନାହିଁ ପରାପର

ନିତ୍ୟ ପ୍ରଶାନ୍ତ ସେ ନିର୍ଭୟେ

ପ୍ରବୋଧି ମାତ୍ର ତାର ଦେହେ

ସେ ସୂକ୍ଷ୍ମ ସର୍ବ ଘଟେ ସମ

ରୂପ ଅରୂପ ସର୍ବଧାମ

ଶିବ ନ ପାରେ ଯାହା କହି

ଅନ୍ୟାନ୍ୟ କ୍ରିୟାଯୋଗେ ନାହିଁ

ଯାର ସମ୍ମୁଖେ ଭଗବତୀ

ଲାଜେ ପଳାଇ ଶିର ପୋତି

ନିଜ ସ୍ୱରୂପ ତାର ଚିନ୍ତି

ପରମ ପୁରୁଷ ବୋଲାନ୍ତି

ଅଜସ୍ର ସୁଖ ସେ ବିଶୋକ

ନାହିଁ ତାହାର ରୂପରେଖ

ଯାହାର ପାଦ ଦୃଢ଼ ଚିତ୍ତେ

ଯୋଗଧାରଣେ ଅନ୍ତର୍ଗତେ

ଭାବି ଛାଡ଼ନ୍ତି ସର୍ବ ତାପ

ସମୁଦ୍ର ତଟେ ଯେହ୍ନେ କୂପ

ସେ ହରି କୈବଲ୍ୟର ନାଥ

ଭାବ ସ୍ୱଭାବେ ଏ ଜଗତ

କହଇ ସର୍ବ ଦେହେ ବସେ

ସମିଧ ସ୍ୱଭାବେ ପ୍ରବେଶେ

ଦେହ ବିଯୋଗେ କାଳ ଦେହୀ

ଗଗନ ପ୍ରାୟ ଶୂନ୍ୟେ ରହି

ହେ ପୁତ୍ର କହିଲି ମୁଁ ତୋତେ

ହରି ମହିମା ଭାଗବତେ

ସତ ଅସତ ରୂପ ସେହି

ମାୟା ଅଶେଷ ଦେହ ବହି

କରଇ ଆତ୍ମ ଖେଳା ଲୀଳା

ତାର ଚରିତ ଭବଭେଳା

ଏ ଭାଗବତ ଧର୍ମ ଯେତେ

ଗୋବିନ୍ଦ କହିଲେ ଯେ ମୋତେ

ସର୍ବ ସମ୍ପଦର ଏ ମୂଳ

ଅଶେଷ ଧର୍ମ ଯଜ୍ଞଫଳ

ଏହା ବିସ୍ତାରି କହ ମୁଖେ

ସଂସାରୁ ତରିବେ ତା ସୁଖେ

ଯେମନ୍ତେ ପ୍ରାଣୀଙ୍କର ଚିତ୍ତ

ବିଷ୍ଣୁ ବିଷୟେ ଅବିରତ

ଯେମନ୍ତେ ନାଶେ ଶୋକ ମୋହ

ଇତି ସଙ୍କଳ୍ପେ ତାତ କହ

ମାୟା ନ ଲାଗେ ତାର ଚିତ୍ତ

ସେ ଦୃଢେ ସୁଖେ ଅବିରତ

ବର୍ଣ୍ଣଇ ଈଶ୍ୱରର ମାୟା

ସେ ଶୁଣେ ଯାରେ ତାର ଦୟା

ଏମନ୍ତ ଭାଗବତ ବାଣୀ

ନାରଦ ବ୍ରହ୍ମା ମୁଖୁଁ ଶୁଣି

ମନ ଆନନ୍ଦେ କୃତକୃତ୍ୟ

କହଇ ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ବ୍ରହ୍ମା ନାରଦ ସମ୍ୱାଦେ

ନାମ ସପ୍ତମୋଽଧ୍ୟାୟଃ ॥

•••

 

ଶ୍ରୀମଦ୍‌ ଭାଗବତ ଦ୍ୱିତୀୟ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

 

ରାଜୋବାଚ

ଶୁକ ଚରଣେ ଦେଇ ଚିତ୍ତ

ଆନନ୍ଦେ କହେ ପରୀକ୍ଷିତ

ନାରଦ ଆଗେ ବ୍ରହ୍ମା ଯେତେ

ବିଷ୍ଣୁ ମହିମା ଭାଗବତେ

କହିଲେ ଜନ ଉପକାରେ

ସେ କଥା ଶୁଣି ପ୍ରାଣୀ ତରେ

ଯେ ଅବା ସ୍ଥାନେ ଯାର ଆଗେ

ମୁନି କହିଲେ ଭକ୍ତିଭାବେ

ତାହା ଶ୍ରବଣେ ଇଚ୍ଛା ମୋର

ତୁମ୍ଭେ ମୁନିଙ୍କ ମଧ୍ୟେ ବର

ହରି ମହିମା ଅଗୋଚର

ଶ୍ରବଣେ ମଙ୍ଗଳ ଉଚ୍ଚାର

ସେ କଥା କହ ମୁନି ମୋତେ

ସେ ହରି ଚରଣ ଯେମନ୍ତେ

ନିଶ୍ଚଳ ମନ କରି ସ୍ଥିର

ଯେମନ୍ତେ ଛାଡ଼ିବି ଶରୀର

ଶ୍ରଦ୍ଧାରେ ଯେବା ନିତ୍ୟେ ଶୁଣେ

ସେ ହରି କଥା ମନେ ଗୁଣେ

ମଙ୍ଗଳ ନାମ ଉଚ୍ଚାରଣେ

ତାହାର ହୃଦେ ତତକ୍ଷଣେ

ଶ୍ରବଣ ମାର୍ଗେ ହରି ପଶେ

ହୃଦୟ ପଦେ ସ୍ଥିରେ ବସେ

ତାର ଦୂରିତ ସର୍ବ ନାଶେ

ଶିଶିର ଯେହ୍ନେ ବୃଷ୍ଟି ନାଶେ

ଜଳୁ ହରଇ ମୀନ ରାଶି

ସେ ଯେହ୍ନେ ନିର୍ମଳ ପ୍ରକାଶି

ନିର୍ମଳ ଆତ୍ମା ତାର ହୋଏ

ସେ କୃଷ୍ଣ ପାଦ ମୂଳେ ରହେ

କେବେହେଁ ନୋହେ ସେବା ହର

ମାୟା ଭ୍ରମଣ ହୋଏ ଦୂର

ପଥିକ ଯେହ୍ନେ ଶ୍ରମ ପାଇ

ସେ ଯେହ୍ନେ ନିଜ ଗୃହେ ଥାଇ

ଶ୍ରମ ପାଶୋରି ସୁଖେ ରହେ

ଗୃହ ସମ୍ପଦ ଭୋଗେ ଦେହେ

ଅଧାତୁମନ୍ତ ଆତ୍ମା ହୋଏ

ଧାତୁ ଘଟଣେ ଦେହ ବହେ

ସ୍ୱତେଜେ ପ୍ରକାଶ ଯେମନ୍ତେ

ତୁମ୍ଭେତ ଜାଣ ଏହା ଚିତ୍ତେ

ଯାର ନାଭିରୁ ପଦ୍ମ ହୋଇ

ଲୋକଙ୍କ ସ୍ଥାନ ପ୍ରକାଶଇ

ଯେବା ପୁରୁଷ ଦେହ ମତେ

ନାନା ପ୍ରକାରେ ସଂଜ୍ଞା ଯେତେ

ପ୍ରକାଶେ ଅବୟବ ଦେହୀ

ତା ରୂପ ନ ଜାଣନ୍ତି କେହି

ସ୍ୱଭାବେ ଜନ୍ମଯାର ନାହିଁ

ଆତ୍ମାରୁ ପ୍ରାଣୀଙ୍କୁ ସର୍ଜଇ

ସେ ଭୂତ ଭୂତ ଆତ୍ମାଦେହେ

ତାହାକୁ ତାର ଅନୁଗ୍ରହେ

ଯେମନ୍ତେ ଦେଖେ ରୂପବନ୍ତ

ନାଭିକମଳୁ ହୋଇ ଜାତ

କାଳକବଳେ ସେ ପୁରୁଷ

ଏ ବିଶ୍ୱ ସୃଷ୍ଟି ସ୍ଥିତି ନାଶ

ସଂକଳ୍ପେ କରଇ ତା ଅଂଶେ

ସର୍ବ କଳ୍ପିତ ନାନା ରସେ

ଏ ଭାବେ ଶୁଣିଲଇଁ ମୁହିଁ

ଏବେ ତୁମ୍ଭଙ୍କୁ ପଚାରଇ

କଳ୍ପିତ କଥା କଳ୍ପକାଳେ

ସେ ବହୁ କରେ ଅବହେଳେ

ଭୂତ ଭବିଷ୍ୟ ବର୍ତ୍ତମାନେ

ସୃଷ୍ଟି ପାଳନ ଅବସାନେ

କାଳର ଯେବା ଅନୁଗତି

କଳ୍ପିବ କଳ୍ପ ସଂଖ୍ୟା ସ୍ଥିତି

କର୍ମର ଗତି ଅବା କେତେ

ଯେ ହେତୁ ପ୍ରକାଶେ ଯେମନ୍ତେ

କର୍ମେ ସଞ୍ଚରେ ଯହିଁ ତହିଁ

ଏ ଭାବେ ଜୀବ ତା ଭୁଞ୍ଜଇ

ଗୁଣେ ଗୁଣଜ୍ଞ ପରିମାଣ

ଭୂମି ପାତାଳ ଦେଶ ବ୍ୟୋମ

ଗ୍ରହ ନକ୍ଷତ୍ର ମହୀଧର

ନଦୀ ସମୁଦ୍ର ଦ୍ୱିପବର

ଏଥେ ଆଶ୍ରିତ ଜନ ଯେତେ

ବ୍ରହ୍ମାଣ୍ଡ ପ୍ରମାଣ ବା କେତେ

ଏ ବାହ୍ୟାନ୍ତରେ ବସ୍ତୁ ଯେତେ

ସଂକ୍ଷେପେ କହ ମୋ ଅଗ୍ରତେ

କାଳର ଯେବା ଅନୁଗତି

କଳ୍ପ ବିକଳ୍ପ ସଂଖ୍ୟା ସ୍ଥିତି

କର୍ମର ଗତି ଅବା କେତେ

ଯେ ହେତୁ ପ୍ରକାଶେ ଯେମନ୍ତେ

ଯୁଗାନୁଯୁଗେ ଯୁଗମାନ

ଯେ ଯୁଗେ ଅବା ଧର୍ମଜ୍ଞାନ

ମନୁଷ୍ୟ ସାଧାରଣ ଧର୍ମ

ଯେବେ ବିଶେଷ ଯଥା କର୍ମ

ବ୍ରହ୍ମଋଷିଙ୍କ ଧର୍ମ ଆଦି

ଯେ ରାଜ ଋଷିଏ ସମ୍ପାଦି

ଯୋଗେଶ୍ୱରଙ୍କ ମୁଖେ କେତେ

ଲିଙ୍ଗ ଭଗନେ ମୋକ୍ଷ ପଥେ

ଯେ ଧର୍ମଦେବ ଉପବେଦେ

ପୁରାଣ ଇତିହାସ ବେଦେ

ସର୍ବ ଭୂତଙ୍କୁ ସେ ସମ୍ଭବ

ବିକ୍ରମ ସଂକ୍ରମ ପ୍ରସ୍ତାବ

ଯେ ବିଧି ଯଜ୍ଞଫଳ ଦାନେ

ଯେ କର୍ମ ତ୍ରିବର୍ଗ ସାଧନେ

ଜୀବ ସମ୍ଭବ ଯେବା ମତେ

ଯେ ଅବା ପାଷାଣ୍ଡ ସଙ୍ଗତେ

ଅସାର ବଦ୍ଧ ମୋକ୍ଷ ଦୁଇ

ଯେବା ସ୍ୱରୂପ ଯେଣେ ରହି

ଯେ ଆତ୍ମାତନ୍ତ୍ର ଭାବଗ୍ରାହୀ

ଆତ୍ମାର ମାୟାରେ କ୍ରୀଡ଼ଇ

ମାୟାଦି ସୂକ୍ଷ୍ମ ସ୍ଥୂଳ ଯେତେ

ତା ମଧ୍ୟେ ରହେ ସାକ୍ଷୀମତେ

ଏବେ ମୁଁ ପଚାରିଲି ଯେତେ

ସଂକ୍ଷେପେ କହ ପ୍ରଭୁ ମୋତେ

ବ୍ରହ୍ମାର ଆତ୍ମା ନାରାୟଣ

ଯେ ବିଶ୍ୱ ସଂସାର ପ୍ରମାଣ

ପୂର୍ବା ପୂର୍ବେ ସେ ଯାହା ଚିନ୍ତି

ଆଗରେ ତାହା ଆଚରନ୍ତି

ତୁମ୍ଭ ବଦନୁ ହରି ରସ

ପିବନ୍ତେ ନୋହେ ମନତୋଷ

 

 

 

 

ଶ୍ରୀ ସୁତ ଉବାଚ

ଏମନ୍ତେ ପରୀକ୍ଷିତ ବାଣୀ

ହରଷେ ଶୁକ ମୁଖୁ ଶୁଣି

ମୁନିଜନଙ୍କ ସଭା ମଧ୍ୟେ

ଯେ ଅବା କହିଲେ ଆନନ୍ଦେ

ସେ ଭାଗବତ ହରି ଗୁଣ

ବ୍ରହ୍ମା ସମ୍ୱାଦ ଏ ପୁରାଣ

ଯେ କଥା ବ୍ରହ୍ମାର ଅଗ୍ରତେ

ସେ ବ୍ରହ୍ମା କଳ୍ପ ଉପଗତେ

ଏକାନ୍ତେ କହିଲେ ମୁରାରି

ବିଶ୍ୱସଂସାରେ ଦୟା କରି

ସେ କଥା ଆଦି ମଧ୍ୟ ଅନ୍ତ

ଶୁଣ କହିବା ତୋ ଅଗ୍ରତ

କହଇ ଦାସ ଜଗନ୍ନାଥ

ଦ୍ୱିତୀୟସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ବ୍ରହ୍ମା ନାରଦ ପରୀକ୍ଷିତ

ସମ୍ୱାଦେ ନାମ ଅଷ୍ଟମୋଽଧ୍ୟାୟଃ ॥

•••

 

ନବମ ଅଧ୍ୟାୟ

 

ଶ୍ରୀ ଶୁକ ଉବାଚ

ଶୁକ କହଇ ରାଜା ଆଗେ

ତାହାର ପ୍ରଶ୍ନ ଅନୁରାଗେ

ଶୁଣ ନୃପତି ପୁଣ୍ୟଦେହା

ତୁ ମୋତେ ପଚାରିଲୁ ଯାହା

ବିଷ୍ଣୁର କ୍ରୀଡ଼ା ଆତ୍ମାଗୁଣ

ସୃଷ୍ଟି ପାଳନ ସଂହାରଣ

ଆତ୍ମା ମାୟାରେ ସୃଷ୍ଟି କରେ

ସେ ମାୟା କେବା କଳିପାରେ

କରଇ ସକଳ ସମ୍ଭବ

ସ୍ୱପ୍ନେ ଯେସନେ ଅନୁଭବ

ଏକଥା ଈଶ୍ୱର ବଚନେ

ନଘଟେ ଶାସ୍ତ୍ର ଅନୁମାନେ

ଯେଣୁ ସେ ମାୟାରେ ମିଶଇ

ଏଣୁ ଅନେକ ପ୍ରକାଶଇ

ସ୍ୱଭାବେ ଆତ୍ମା ବହୁରୂପୀ

ରୂପ ପ୍ରକାଶେ ସର୍ବ ବ୍ୟାପୀ

ଯେ ରୂପେ ଥାଇ ଯେବାଗୁଣେ

ମୁହିଁ ମୋହର ପ୍ରାୟ ମଣେ

ସତ୍ୟ ପ୍ରକାଶ ସର୍ବ ଦେହେ

ନିରତେ ଆତ୍ମାରୂପେ ରହେ

ପର ଅପର ନ ଲାଗଇ

କାଳ ମାୟାର ଭେଦ କାହିଁ

ମାୟା କ୍ରମଶଃ ସତ୍ୟ ପ୍ରାୟେ

ସତ୍ୟ ଅସତ୍ୟ ଭେଦ ନୁହେଁ

ଆତ୍ମାର ଜାଣ ଶୁଦ୍ଧି ଅର୍ଥେ

କହିଲେ ବ୍ରହ୍ମାର ଅଗ୍ରତେ

ସେ ଯେଣୁ ଘୋର ତପ କରି

ଅନେକ କଷ୍ଟେ ପ୍ରାଣ ଧରି

ତପେ ତୋଷିଲା ଭଗବାନ

ତେଣୁ ପାଇଲା ଦରଶନ

ନିର୍ମଳ ନିଷ୍କପଟ ଚିତ୍ତେ

ତେଣୁ ଚିନ୍ତିଲା ହୃଦଗତେ

ଶୁଣ କହିବା ତୋ ଅଗ୍ରତେ

ବ୍ରହ୍ମାଙ୍କୁ ଦିଶିଲା ଯେମନ୍ତେ

ସେ ଆଦି ଦେବଗଣ ଗୁରୁ

ଭକ୍ତ ଭଜନେ କଳ୍ପତରୁ

ନିଜ ଭୁବନେ ସୁଖେ ଥିଲା

ବ୍ରଜ ବିହାରେ ଇଚ୍ଛାକଲା

ଆତ୍ମାରେ ଆତ୍ମା ମାୟାଗ୍ରସ୍ତେ

ପ୍ରପଞ୍ଚ ନିର୍ବାଣ ଯେମନ୍ତ

ନାଭିରୁ ପଦ୍ମ କଲା ଜାତ

ଯହୁଁ ଜନ୍ମିଲେ ଚତୁର୍ମାଥ

ସେ ପୁଣି ଚିନ୍ତାଭରେ ରହି

ପର ଅପର ନ ଜାଣଇ

ଚିନ୍ତା ବିଚ୍ଛେଦ ଭାବେ ମନେ

ଶବଦ ଶୁଭିଲା ଗଗନେ

ଜଳେ କମଳ ମଧ୍ୟେ ଥିଲା

ସେ ବେନି ଅକ୍ଷର ଶୁଣିଲା

ଓଁକାର ଆଦି ଷଟଦଶ

ପଞ୍ଚ ମିଶ୍ରିତେ ଏକବିଂଶ

ଶବଦେ ତପ ଉଚ୍ଚାରଣ

ନିଷ୍କିଞ୍ଚନଙ୍କ ନିଜଧନ

ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ

ନିରୋଳି ଚାହିଁଲା ଗଗନେ

ଦିଗ ସହିତେ ଅନାଇଲା

କାହିଁ ଯେ କିଛି ନ ଦେଖିଲା

ସେ ପୁଣି ରହି ନିଜ ସ୍ଥାନେ

ଆତ୍ମାର ହିତ ଚିନ୍ତି ମନେ

ଜାଣିଲା ଏ ପରମ ତତ୍ତ୍ଵ

ତପ ସାଧନେ ଦେଲା ଚିତ୍ତ

ଏ ମୋର ହିତ ବୋଲି ଜାଣି

ନିଶ୍ଚଳ ମନେ କୁଶପାଣି

ଅମୋଘ ଦୃଷ୍ଟି ସେ ବିଧାତା

ତପେ ବଢ଼ିଲା ତାର ଚିନ୍ତା

ବେଦ ବରଷେ ଦଶଶତ

ତପ ସେ କଲା ଦୃଢ଼ ଚିତ୍ତ

ମନ ପବନ କଲା ବନ୍ଦୀ

ଦଶ ଇନ୍ଦ୍ରିୟ ଗଣ ରୁନ୍ଧି

ସେ ସତ୍ୟ ତପେ ସର୍ବ ଲୋକେ

ତପ ସୃଜନ ଅତିରେକେ

ତପ ପ୍ରତାପେ ନରହରି

ମିଳିଲେ ନିଜ ରୂପ ଧରି

ସେ ରୂପ ନ ଜାଣନ୍ତି କେହି

ମାୟା ସଂସାରେ ଦେହ ବହି

ବିଷ୍ଣୁ ପ୍ରସନ୍ନେ ପ୍ରଜାପତି

ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି

ଶୂନ୍ୟେ ବିଜୟ ନରହରି

ଅଶେଷ ଦେବାଙ୍କରେ ଭରି

ଯାର ଶରୀର ରଜ ନାମେ

ପଶି ନ ପାରନ୍ତି ସଂଭ୍ରମେ

ଯେ ଅନ୍ୟକାଳର ବିକ୍ରମ

ସେ ବା ହୋଇବ କାହିଁ କ୍ଷମ

ମାୟା ନ ପାରେ ପଶି ଯହିଁ

ଦେବ ଜାଣିବେ ତାହା କାହିଁ

ବିମାନ ମଧ୍ୟେ ନାରାୟଣ

ବେଷ୍ଟିତ ପାରିଷଦ ଗଣ

ସର୍ବେ ଦିଶନ୍ତି ବିଷ୍ଣୁ ତେଜ

ସ୍ୱଭାବେ ଚାରି ଚାରି ଭୁଜ

ଶ୍ୟାମସୁନ୍ଦର ତନୁ ବର୍ଣ୍ଣ

ଅରୁଣ ପଙ୍କଜଲୋଚନ

ହଳଦୀ ବସ୍ତ୍ର ପରିଧାନ

ସୁରୁଚି ସୁନ୍ଦର ବଦନ

ମଣି ଲମ୍ୱିତ କଣ୍ଠ ଦେଶେ

କାମ ଅଞ୍ଜନ ନିଜ ବେଶେ

ପ୍ରବାଳ ବୈଦୁର୍ଯ୍ୟର ଜ୍ୟୋତି

ମୃଣାଳ ପ୍ରାୟ ଝଟକନ୍ତି

କିରୀଟ ଗଞ୍ଜନ କପୋଳ

ଶ୍ରବଣେ ମକର କୁଣ୍ତଳ

ତେଜେ ବିରାଜେ ନଭସ୍ଥଳୀ

ବେଷ୍ଟିତ ପାରିଷଦ ମିଳି

ଦିବ୍ୟକାମିନୀଙ୍କ ଗହଣେ

ବିଜୁଳି ନୀଳମେଘେ ଯେହ୍ନେ

ଅଷ୍ଟ ବିଭୂତି ସଙ୍ଗ ମେଳେ

କମଳା ସେବେ ପାଦମୁଳେ

ଦିବ୍ୟ ଦୋଳିକା ମଧ୍ୟେ ନାରୀ

ପୁଷ୍ପ ବରଷେ ସ୍ତୁତି କରି

ଯେ ରୂପେ ବିଷ୍ଣୁ ନଭସ୍ଥଳେ

ବ୍ରହ୍ମାଦେଖିଲେ ବେନି ଡୋଳେ

ଯାର ମହିମା ଦାଶରଥି

ଭକ୍ତଜନଙ୍କ ଅଧିପତି

ଜଗତପତି ସର୍ବଗତି

ତା ମାୟା କେହି ନ ଜାଣନ୍ତି

ସୁନନ୍ଦ ନନ୍ଦ ପ୍ରଚାଳାଦି

ଅର୍ହଣ ସହିତେ ଆମୋଦି

ପୂଜନ୍ତି ଶଙ୍କର ସ୍ୱଭାବେ

ମିଳିଣ ସମସ୍ତ ସଚିବେ

ତାଙ୍କୁ ଦେଖିଲେ ମନେ ହୁଏ

ଭୃତ୍ୟେ ପ୍ରସାଦ ଦେଲା ପ୍ରାୟେ

ତାହାଙ୍କ ନୟନ ଯୁଗଳ

ବର୍ଷନ୍ତି ମତ୍ତତାର ଜଳ

ଶ୍ରୀମୁଖ ପ୍ରସନ୍ନ ବଦନ

ଅରୁଣ ପଙ୍କଜଲୋଚନ

ମସ୍ତକେ କିରୀଟ ବିରାଜେ

କର୍ଣ୍ଣେ କୁଣ୍ଡଳ କଟି ମାଝେ

ଶୋଭଇ ପୀତ ଯେ ବସନ

ଲକ୍ଷ୍ମୀ କ୍ରୀଡ଼ନ୍ତି ହୃଦେ ଜାଣ

ଅମୂଲ୍ୟ ସିଂହାସନେ ସ୍ଥିତି

ବେଷ୍ଟିତ ସକଳ ବିଭୂତି

ଏମନ୍ତ ରୂପ ବ୍ରହ୍ମା ଦେଖି

ଉଠିଲେ ଆସନ ଉପେକ୍ଷି

କୃଷ୍ଣର ଦର୍ଶନେ ଆହ୍ଲାଦ

ଆନନ୍ଦେ ହୋଇ ଗଦଗଦ

ଲୋମ ହରଷେ ତନୁ ପୂର୍ଣ୍ଣ

ପ୍ରେମଭରେ ଅଶ୍ରୁଲୋଚନ

କୃଷ୍ଣର ପାଦପଦ୍ମ ଚାହିଁ

ମିଳିଲା ଶିରେ କର ଦେଇ

ଆନନ୍ଦ ସାଗରେ ବୁଡ଼ିଲା

ଅଧିକେ ଆତ୍ମା ପାଶୋରିଲା

ଅତି ଆନନ୍ଦେ ପ୍ରେମ ସୁଖେ

ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ

ପ୍ରଜା ସୃଜନେ ତାର ମନ

ଜାଣିଲେ ପ୍ରଭୁ ଭଗବାନ

ବ୍ରହ୍ମା ବଦନ ହରି ଚାହିଁ

ଈଷତ ହାସ୍ୟେ ବାକ୍ୟ କହି

ଆତ୍ମାର ପ୍ରାୟ ପ୍ରାୟେ କରି

ବ୍ରହ୍ମାର କର କରେ ଧରି

କର ଅଞ୍ଚଳି ବ୍ରହ୍ମା କରେ

ସମ୍ଭ୍ରମେ ବିନମ୍ର ସାଦରେ

 

 

 

 

ଶ୍ରୀ ଭଗବାନୁବାଚ

ହେ ବେଦଗର୍ଭ ସୃଷ୍ଟି ଅର୍ଥେ

ତୁମ୍ଭେ ଯେ ତପେ ତୋଷିମୋତେ

ଅତି ଦୁଷ୍କର ଚିର ତପେ

ତେଣୁ ମୁଁ ତୋଷେ ତୋ ସମୀପେ

ସ୍ୱଭାବେ ଯୋଗୀଙ୍କି ଦୁଲ୍ଲଭ

ମୁଁ ତୋତେ ହୋଇଲି ସୁଲଭ

ମଙ୍ଗଳ ଶୁଭ ହେଉ ତୋତେ

ବର ଯେ ମାଗ ଦୃଢ଼ଚିତ୍ତେ

ମୋହର ଦରଶନ ଯେବେ

ପ୍ରାଣୀ ଲଭଇ ପୁଣ୍ୟଗର୍ଭେ

ତାହାର ଗତି ପୁଣ୍ୟଧାମ

ଅନ୍ତରେ ହୋଇ ଆତ୍ମାରାମ

ଗଗନେ ଶୁଣି ମୋ ବଚନ

ତୁହି ଯେ ତପେ କଲୁ ମନ

କର୍ମ ବିଭ୍ରମ ଦେଖି ତୋତେ

ମୁଁ ଆଜ୍ଞା ଦେଲି ଶୂନ୍ୟପଥେ

ବୋଇଲି ଚିତ୍ତେ ତପ କର

ମୁଁ ତୋତେ ହୋଇଲି ଗୋଚର

ମୋର ହୃଦୟ ତପ ଜାଣ

ତପେ ଥରଇ ଦଶପ୍ରାଣ

ତପେ ମୁଁ ସୃଷ୍ଟି କରି ହେଳେ

ପୁଣି ସଂହାରି ତପବଳେ

ତପର ବଳେ ଏ ଜଗତ

ମହୀ ଧରଇ ଅବିରତ

ବ୍ରହ୍ମୋବାଚ

ତୁ ନାରାୟଣ ଭୂତେଶ୍ୱର

ପ୍ରାଣୀଙ୍କ ହୃଦେ ତୋ ବିହାର

ତୁ ହୃଦପଦ୍ମ ମଧ୍ୟେ ଥାଉ

ପ୍ରାଣୀକି ଉପଦେଶ ଦେଉ

ଏଣୁ ମୋହର ମନ ଜାଣି

ଯେ ଆଜ୍ଞା ଦେଲୁ ଚକ୍ରପାଣି

ଅନାଥ ନାଥ ତୋ ମହିମା

କେ ଜାଣିପାରେ ଗୁଣସୀମା

ମୁଁ ତୋର ଚରଣ କିଙ୍କର

ଏମନ୍ତ ଆଜ୍ଞା ମୋତେ କର

ରୂପ ଅରୂପ ତୋର ଯେତେ

ଏ ସୃଷ୍ଟି କରି ତୁ କେମନ୍ତେ

ତୁ ମାୟା ଯୋଗେ ସୃଷ୍ଟି କରି

ତୋର ଶିକ୍ଷାରେ ତୋରପୁରୀ

ଏ ସୃଷ୍ଟି କରି ସଂହାରଣ

ତୁ ନାଥ ପରମ କାରଣ

ସୃଷ୍ଟି ସଂକଳ୍ପେ ମୋର ଇଚ୍ଛା

ତୁ ନାଥ କହ ସୃଷ୍ଟି ଦୀକ୍ଷା

ସ୍ୱତନ୍ତ୍ର ସୂତ୍ରେ ଉର୍ଣ୍ଣନାଭି

କ୍ରୀଡ଼ଇ ଯେହ୍ନେ ମନେଭାବି

ତେମନ୍ତ ବୁଦ୍ଧି ଦିଅ ମୋତେ

ଏ ସୃଷ୍ଟି କରଇ ଯେମନ୍ତେ

ସୃଷ୍ଟି କରଣେ ଭଗବାନ

କେବେହେଁ ନାହିଁ ମୋର ଜ୍ଞାନ

ବନ୍ଧୁ ଯେପରି ବନ୍ଧୁ ଦେଖି

ସକଳ କର୍ମ ସେ ଉପେକ୍ଷି

କରଇ ବନ୍ଧୁତ୍ୱ ଆଦର

ସେପରି କଲୁ ଦାମୋଦର

ମୁଁ ତୋତେ ମାଗୁଛି ଯେ ଏହା

ଗର୍ବ ନ ଛୁଉଁ ମୋର କାୟା

ସୃଷ୍ଟି କରିଣ ତୋ ସେବାରେ

ମୋ ମନ ରହିବ ନିଶ୍ଚଳେ

ତୋ ଅନୁଗ୍ରହ ଯେବେ ମୋତେ

ତୁ ନାଥ ବସ ମୋର ଚିତ୍ତେ

ଶ୍ରୀଭଗବାନୁବାଚ

ଶୁଣ ବିଧାତା ମୋ ବଚନ

ଯେବେ ଲଭିବ ସୃଷ୍ଟିଜ୍ଞାନ

ସୃଷ୍ଟି ସର୍ଜନେ ଅଙ୍ଗ ଯେତେ

ହରଷେ କହୁ ତୋ ଅଗ୍ରତେ

ଯେ ରୂପ ଗୁଣ କର୍ମ ଭାବ

ସେ ତତ୍ତ୍ୱଜ୍ଞାନ ତୋ ହୋଇବ

ପ୍ରସରି ମୋର ଅନୁଗ୍ରହେ

ଏ ସର୍ବଜ୍ଞାନ ତୋର ଦେହେ

ସୃଷ୍ଟିର ଅଗ୍ରେ ମୁହିଁ ଏକ

ମୋ ତହୁଁ ପ୍ରକାଶେ ଅନେକ

ସତ ଅସତ ପରେ ମୁହିଁ

ଯେ ଅବଶେଷେ ଶେଷ ହୋଇ

ଅର୍ଥକୁ ଛାଡ଼ି ଯେହ୍ନେ ଚିନ୍ତେ

ପ୍ରତୀତ ଯେହ୍ନେ ଆତ୍ମହିତେ

ମାୟା ପ୍ରକାଶ ସେ ପ୍ରମାଣ

ଗଗନେ ଯେହ୍ନେ ଜ୍ୟୋତିର୍ଗଣେ

ଏ ଜୀବ ସ୍ଥୂଳ ସୂକ୍ଷ୍ମ ଯେତେ

ପ୍ରକାଶ ହୋନ୍ତି ପଞ୍ଚଭୂତେ

ଛାଡ଼ି ପଶନ୍ତି ପୁଣ ପୁଣ

ସେ ମାୟା ଶରୀରେ ପ୍ରମାଣ

ତୋର ପ୍ରସ୍ତାବେ ପ୍ରଜାପତି

କହିଲି ସୃଷ୍ଟି ଯଥାକୃତି

ଯେଝା ବିଚାର ଅନୁମାନେ

ସେ ସର୍ବକାଳ ବିଦ୍ୟମାନେ

ଏ ମୋର ତତ୍ତ୍ଵଜ୍ଞାନ ବଳେ

ଧର ତୁ ସମାଧି ନିଶ୍ଚଳେ

କଳ୍ପ ବିକଳ୍ପ ତୋର ଚିତ୍ତ

କେବେ ନୋହିବ ବିମୋହିତ

ଶ୍ରୀଶୁକ ଉବାଚ

ସେ ନିରାକାର ଭାବଗ୍ରାହୀ

ବ୍ରହ୍ମାଙ୍କ ସୃଷ୍ଟି ତତ୍ୱ କହି

ତକ୍ଷଣେ ବ୍ରହ୍ମାର ଅଗ୍ରତେ

ଗୋବିନ୍ଦ ଗଲେ ଶୂନ୍ୟ ପଥେ

କୃଷ୍ଣ ନ ଦେଖି ପ୍ରଜାପତି

ପଥେ ଅନେକ କଲେ ସ୍ତୁତି

କର ଅଞ୍ଜଳି ଶିରେ ଦେଇ

ଅନେକ ଭାବରେ ବିମୋହି

ବିଶ୍ୱ ସୃଜିଲେ ବିଶ୍ୱ ତେଜେ

ପୂର୍ବର ପ୍ରାୟ ନାନା ବୀର୍ଯ୍ୟେ

ସେ ଧର୍ମ ଗତି ପ୍ରଜାପତି

ନିଯୁକ୍ତ ଆତ୍ମା ମହାଗତି

ପ୍ରଜା କଳ୍ପନା ଚିନ୍ତା କରି

ଆତ୍ମାର ହିତେ ମନ ଧରି

ନାରଦ ବାକ୍ୟେ ବେଦବର

ହରି ମହିମା ଅଗୋଚର

ଯେତେ କହିଲେ ସୃଷ୍ଟି ଅର୍ଥେ

ମାୟାର ମହିମା ଯେମନ୍ତେ

ଜାଣିବା ଅର୍ଥେ ମହାମୁନି

କହି ବିଧାତା ହେଲେ ତୁନି

ବ୍ରହ୍ମା ନାରଦ ପ୍ରଶ୍ନ ଯେତେ

କହିଲୁ ତୁମ୍ଭର ଅଗ୍ରତେ

ନାରଦ ସାବଧାନେ ଶୁଣ

ଏ ଭାଗବତର ପ୍ରମାଣ

ଦଶ ଲକ୍ଷଣେ ଏହା ଜାଣି

ଯେବା କହିଲୁ ପରିମାଣି

ଏ କଥା ସରସ୍ୱତୀ ତଟେ

କହିଲେ ବ୍ୟାସଙ୍କ ନିକଟେ

ଶତ ଶୋଳକେ ପରିମାଣି

ବ୍ୟାସେ ନାରଦ ମୁଖୁ ଶୁଣି

ସେ ବ୍ୟାସ ମୁନି ତୋଷ ଚିତ୍ତେ

ଅଠରସସ୍ର ଗ୍ରନ୍ଥ ଯୁକ୍ତେ

ମୁଁ ଶିକ୍ଷା କଲି ତାଙ୍କ ତହୁଁ

ତୁ ଭାଗ୍ୟବନ୍ତ ନୃପ ଯହୁଁ

ଏବେ ମୁଁ ତୋହର ଅଗ୍ରତେ

କହିବି ପଚାରିଲୁ ଯେତେ

ଏମନ୍ତେ ପରୀକ୍ଷିତ ମେଳେ

ଶୁକ କହିଲେ ଗଙ୍ଗା କୂଳେ

ଦଶ ଲକ୍ଷଣେ ଭାଗବତ

କହିଲେ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶ୍ରୀମଦ୍ଭାଗବତ ପ୍ରକୃତି

ବର୍ଣ୍ଣନେ ନାମ ନବମୋଽଧ୍ୟାୟଃ ।

•••

 

ଦଶମ ଅଧ୍ୟାୟ

 

ଶ୍ରୀଶୁକ ଉବାଚ

ଶୁକ କହନ୍ତି ରାୟେ ଶୁଣ

ଏ ଭାଗବତର ଲକ୍ଷଣ

ଦଶପ୍ରକାରେ ଭାବ ଚିନ୍ତି

ପୁରାଣ ପୁରୁଷ ବୋଲାନ୍ତି

ତାହା କହିବା ଏକେ ଏକେ

ପ୍ରସ୍ତାବେ ତୋହର ସମ୍ମୁଖେ

ସର୍ଗ ବିସର୍ଗ ଭୂତି ସ୍ଥାନ

ପୋଷଣ ମୁକ୍ତ ବିଦ୍ୟମାନ

ମନ୍ୱନ୍ତର ବଂଶାନୁକଥା

ନିରୋଧ ଆଶ୍ରୟ ବ୍ୟବସ୍ଥା

ଦଶ ବିଶୁଦ୍ଧି ଅର୍ଥେ ରହେ

ନବ ଲକ୍ଷଣେ ଯେବା ହୋଏ

ବେଦ ବିଚାରି ଅନୁମାନେ

ତତ୍ତ୍ଵ କହନ୍ତି ମୁନିଜନେ

ଆକାଶ ଶଦ୍ଦ ତନୁ ମାତ୍ର

ମହତ ଅହଙ୍କାର ତତ୍ତ୍ୱ

ଏହାଙ୍କ ଜନ୍ମ କର୍ମ କହି

ସ୍ୱର୍ଗର ଗୁଣମତ ଦେଇ

ବ୍ରହ୍ମାର ଗୁଣ ବିପରୀତେ

ବିସର୍ଗପଞ୍ଚ ସମ ଚିତ୍ତେ

ବିଷ୍ଣୁ ବିଜୟେ ସ୍ଥାନ କହି

ପୋଷଣ ଅନୁଗ୍ରହ ହୋଇ

ମନ୍ୱନ୍ତର ଯେ ସାଧୁ ଧର୍ମ

କର୍ମ ବାସନେ ଉତିନାମ

ବିଷ୍ଣୁ ବିଜୟେ ସ୍ଥାନ କହି

ପୋଷଣ ଅନୁଗ୍ରହ ହୋଇ

ବିଷ୍ଣୁ ଅବତାର ଚରିତ

ତଦନ୍ତେ ବର୍ଣ୍ଣେ ଯେ ଉକତ

ବଂଶାନୁକଥା ଅନୁବାଦେ

ଉତ୍ତମ ପୁରୁଷଙ୍କ ମଧ୍ୟେ

ସଂହରି ଆତ୍ମାର ଶକତି

ଜଳେ ଶୟନ ଯୋଗପତି

ନିରୋଧ ବୋଲି ତାର ନାମ

ଲୀନ ସ୍ୱଭାବେ ପୂର୍ଣ୍ଣକାମ

ମୁକ୍ତି ଲକ୍ଷଣ ଦିବ୍ୟ ସ୍ଥିତି

ନାହିଁ ନ ଘଟେ ପୂର୍ଣ୍ଣଗତି

ପ୍ରକାର ନିରୋଧ ଏ ଦୁଇ

ଆଶ୍ରମ ନାମ ଏ ବୋଲାଇ

ସେ ପରମାତ୍ମା ନରହରି

ଏବେ ଅଶେଷ ଘଟେ ପୂରି

ତାର ସକାଶୁ ଜୀବଲୋକ

ତେଣୁ ବୋଲାଇ ଅଧାର୍ମିକ

ସେ ଅଧିଦେବତା ବୋଲାଇ

ଅଧିଭୂତଙ୍କ ଆତ୍ମା ସେହି

ଯେ ବେନି ବିଚ୍ଛେଦ କରଇ

ତାହାକୁ ଅଧିଭୂତ କହି

ଏ ଭାବେ ଏକ ଏକତର

କହି ନ ଲକ୍ଷି ପରାପର

ସର୍ବ ଆଶ୍ରୟ ତାର ନାମ

ପୁରୁହୁତ ପୁରୁଷ ନାମ

ସେ ଯେତେବେଳେ ଅଣ୍ତଭେଦି

ବାହାର ହୋଇ ଗୁଣନିଧି

ଆତ୍ମାର ସ୍ଥାନ ଚିନ୍ତା କରି

ସ୍ୱଭାବେ ଜଳରୂପ ଧରି

ପୁରୁଷ ନାମ ନର ହେଲା

ତହିଁରେ ନାରୀ ଯେ ବ୍ୟାପିଲା

ସେ ଜଳ ମଧ୍ୟେ ମାୟାଧର

ବନ୍ଦିଲି ସହସ୍ର ବତ୍ସର

ଦୃଶ୍ୟ ଅଦୃଶ୍ୟରେ କାରଣ

ତେଣୁ ତା ନାମ ନାରାୟଣ

ସେ ଦ୍ରବ୍ୟ ଗୁଣ କର୍ମକାଳ

ସ୍ୱଭାବେ ହୋଇ ଏକମେଳ

ଯାହାନୁଗ୍ରହେ ଉପୁଜନ୍ତି

ଯହାନୁଗ୍ରହେ ଲୀନ ଯାନ୍ତି

ସେ ଯୋଗମାୟା କଳ୍ପେ ଉଠି

ଆଣି କଳ୍ପଇ ନାନା ସୃଷ୍ଟି

ସୁବର୍ଣ୍ଣମୟ ତା ଶରୀର

ଭ୍ରମଇ ତ୍ରିଧା ଅହଙ୍କାର

ଅଧିଦେବତା ଆଧ୍ୟାତ୍ମିକ

ଅଧିଭୂତଙ୍କ ଅଧିରେକ

ଗୁଣ ପୌରୁଷ ବୀର୍ଯବଳେ

ତ୍ରିବିଧ ବିଧି ବହେ ହେଳେ

ଅନ୍ତେ ଶରୀର ଶୂନ୍ୟେ ଭଜେ

ଆକାଶ ଗୁଣମୟ ସୃଜେ

ସ୍ୱଭାବେ ଶେଷେ ଶ୍ରେୟ ବଳ

ତେଜସ୍ୱୀ ରୂପ ଅନ୍ତର୍ଗଳ

ଏ ଚାରି ଭାବୁ ପ୍ରାଣୀ ଜାତ

ଦଶ ପ୍ରାଣୀଙ୍କ ମୂଳ ନାଥ

ଚଳନ୍ତି ଯାର ଅନୁପଥେ

ଅଶେଷ ପ୍ରାଣୀ ଅନ୍ତର୍ଗତେ

ରାଜାକୁ ଯେହ୍ନେ ଆଶ୍ରାକରି

ସେବକ ପଥ ଅନୁସରି

ମୂଳ କମଳୁ ସେହୁପଥେ

ପ୍ରାଣୀକି ବ୍ରହ୍ମରନ୍ଧ୍ର ପଥେ

ପ୍ରାଣୀଙ୍କ ଆତଯାତ ଶ୍ରମେ

କ୍ଷୁଧା ଉପୁଜେ ତୃଷାଭ୍ରମେ

କ୍ଷୁଧା ତୃଷାର ମାର୍ଗ ମୁଖ

ଏଣୁ ସର୍ଜିଲା ଅଗ୍ରେ ମୁଖ

ମୁଖର ମୂଳେ ତାଳୁ ଜାତ

ତା ସଙ୍ଗେ ରସନା ସଂଯୁକ୍ତ

ତାର ସଂଯୋଗେ ନାନା ରସେ

ଆସ୍ୱାଦେ ଆତ୍ମାର ବିଶେଷେ

ଶଦ୍ଦର ଅର୍ଥ ପୁଣ କରେ

ଅଗ୍ନି ରକ୍ଷଣ ବାଦ୍ୟ ଧରେ

ଶୁଚି ସୁଗନ୍ଧ ଭୋଗ ଫଳେ

ନିଶା ବିବରେ ବାୟୁବଳେ

ଆଘ୍ରାଣ ଅର୍ଥେ ଉପୁଜିଲେ

ତକ୍ଷଣେ ଗନ୍ଧବାହ ବୁଲେ

ଆତ୍ମାର ଦେଖି ଅନ୍ଧକାର

ବ୍ରହ୍ମା ସର୍ଜିଲେ ଅନ୍ଧକାର

ଜ୍ୟୋତି ସର୍ଜିଲା ରକ୍ଷପଣେ

ଦୃଷ୍ଟି ପ୍ରକାଶେ ଦଶଗୁଣେ

ଦେବ ପୁରୁଷଙ୍କ ବଚନେ

ବିଧାତା ଦେଇ ଅନୁମାନେ

ଶୁଣିମା ଅର୍ଥେ ନାନାଶୂନ୍ୟ

ନିର୍ମଳେ ପ୍ରକାଶିଲା କର୍ଣ୍ଣ

ଦିଗ ଦେବତାଙ୍କ ରକ୍ଷଣେ

ପ୍ରକାଶ ଏ ବାମ ଦକ୍ଷିଣେ

ନାନା ଶବଦ ନିଷ୍ଠା ଗୁଣେ

ଯେ ଦ୍ୱାରେ ଜାଣିବ ତକ୍ଷଣେ

ପୁଣ ବିଧାତାବୁଦ୍ଧି ଯୋଗେ

ଚର୍ମ ଆଚ୍ଛାଦି ସର୍ବ ଅଙ୍ଗେ

ଶୀତ ତପତ ଯେତେ ଜାଣି

ପବନ ଯୋଗେ ପରିମାଣି

ସେ ଚର୍ମ ଇନ୍ଦ୍ରିଗଣ ଭଜେ

ଉପରେ ବହେ ରୋମରାଜେ

ଅଶେଷ କର୍ମ କରିବାରେ

ପ୍ରକାଶେ ହୃଦୟ ଉପରେ

ବାମ ଦକ୍ଷିଣ ବେନିକର

ଯହିଁ ରକ୍ଷକ ସୁନାଶୀର

ଜୀବନ ଗତାଗତ ଶୂନ୍ୟ

ବିଧାତା ସଞ୍ଚିଲା ଚରଣ

ଯେ ବାମ ଦକ୍ଷିଣ ପୟର

ଯହିଁ ରକ୍ଷକ ଦାମୋଦର

ସଂସାରେ ହବ୍ୟ କବ୍ୟ ବିଧି

ଚରଣ ଯୁଗ ବଳେ ସାଧି

ବସ୍ତୁ ଉପାର୍ଜନ କାରଣ

ଗଗନେ ଏ ବେନି ଚରଣ

ବେନି ଚରଣ ମୂଳ ଦେଶେ

ଆନନ୍ଦ ଗଗନ ପ୍ରକାଶେ

ଯେ ସ୍ଥିତି ଉତ୍ପତ୍ତି କାରଣେ

ତା ପ୍ରଜାପତି ସୁରଗଣେ

ଉଭୟ ଆନନ୍ଦର ଦ୍ୱାର

ଅଜ୍ଞାନ ତୁଲେ ନାଶକର

ଅନ୍ନ ଭୋଜନ ରସ ମାର୍ଗେ

ନାଡ଼ି ସର୍ଜିଲା କୁକ୍ଷି ଯୋଗେ

ନଦୀଙ୍କ ପ୍ରାୟେ ବେନିପାଶେ

ପ୍ରାନ୍ତେ ସମୁଦ୍ର ରହେ ଗ୍ରାସେ

ଉଭୟ ନାଡ଼ୀ ନାମ ତୁଷ୍ଟି

ସମୁଦ୍ର ନାମ ବହେ ପୁଷ୍ଟି

ଆତ୍ମା ମାୟାକୁ ଇଚ୍ଛାକରି

ସତ୍ୟ ହୃଦୟ ରୂପଧରି

ନାମ ସଂକଳ୍ପେ ଚନ୍ଦ୍ରମନ

ହୃଦୟେ ଏହାଙ୍କର ସ୍ଥାନ

ହୃଦୟେ ଆବୋରିବା ଆଶେ

ଅସ୍ଥି ସର୍ଜିଲା ପୃଷ୍ଠଦେଶେ

ଅସ୍ଥି ଭିତରେ ମଜ୍ଜାକଲା

ଉଦରେ ମେଦ ଭିଆଇଲା

ତାର ଉପରେ ମାଂସ ଧରି

ରୁଧିର ଆଭରଣ କରି

ତାର ଉପରେ ଚର୍ମ ଲୋମ

ମଜ୍ଜାର ମଧ୍ୟେ ରହେ ସୋମ

ଏମନ୍ତ କରି ସପ୍ତ ଧାତୁ

ପ୍ରାଣୀ ଜୀବନ ମୂଳ ହେତୁ

ବାସ୍ତରୀ ସସ୍ର କଲା ନାଡ଼ୀ

ହୃଦ କମଳ ମଧ୍ୟେ ବେଢ଼ି

ପ୍ରାଣ ରହଇ ୟାଙ୍କ ମଧ୍ୟେ

ଅନ୍ନର ରସ ମୂଳ ଭେଦେ

ଘେନିଣ ନାଡ଼ୀ ମଧ୍ୟେ ଯାଇ

ପ୍ରବେଶ ସର୍ବାଙ୍ଗରେ ନେଇ

ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ

ସର୍ବ ବିକାର ଆତ୍ମମନ

ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ

ଯେଣେ ସଂସାର ମାୟା ଜିଣି

ଅବନୀ ଉଦକ ଅନଳ

ପବନ ଆକାଶ ମଣ୍ତଳ

ଏମନ୍ତ କହିଲି ମୁଁ ତୋତେ

ବିଷ୍ଣୁର ସ୍ଥୂଳ ରୂପ ଯେତେ

ଏ ଜୀବ ବ୍ରହ୍ମାଣ୍ତ ଧାରଣ

ବେଷ୍ଟିତ ଅଷ୍ଟ ଆଭରଣ

ପୃଥିବୀ ଆଦି ପଞ୍ଚଭୂତେ

ଏମନ୍ତ ବୁଦ୍ଧି ଅହଂକୃତେ

ଏ ଅଷ୍ଟଗୁଣେ ଆବରଣ

ଏମନ୍ତ ବ୍ରହ୍ମାଣ୍ତ ଘଟଣ

ଯେ ସ୍ଥୂଳ ରୂପ ଏ ଯାହାର

ଏହାର ପରେ ସୂକ୍ଷ୍ମକର

ସେ ନିର୍ବିକାର ନିରଞ୍ଜନ

ଅନାଦି ମଧ୍ୟମ ନିଧାନ

ସେ ଶୂନ୍ୟ ମଧ୍ୟେ ନିରାକାର

ମନ ବଚନେ ଅଗୋଚର

ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି

ସେ ଖେଳେ ଆତ୍ମାମାୟା କରି

ପଣ୍ତିତେ ନ ମାନନ୍ତି ଏହା

ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା

ପଶୁ ବାଳକ ରୂପେ ହରି

ସେ ବ୍ରହ୍ମ ରୂପେ ଅବତରି

ଏମନ୍ତେ କ୍ରିୟାନାମ ଧାତୁ

କର୍ମ ଅକର୍ମଙ୍କର ହେତୁ

ସର୍ବ ସଙ୍କଳ୍ପ କ୍ରିୟା ଅର୍ଥେ

ଶୁଣ କହିବା ଆଉ କେତେ

ଆତ୍ମାକୁ ଭିନ୍ନ ଭିନ୍ନ କରି

ସେ ପ୍ରଜାପତି ରୂପ ଧରି

ମନକୁ ସର୍ଜିଲାକ ହେଳେ

ଋଷି ଦେବତା ପିତୃ ମେଳେ

ସିଦ୍ଧ ଚାରଣ ବିଦ୍ୟାଧର

ଗନ୍ଧର୍ବ ଅସୁର କିନ୍ନର

ଗୁହ୍ୟକ ଅପ୍‌ସରା ଯେ ଦକ୍ଷ

ନାଗ କିଂ ପୁରୁଷ ପ୍ରତ୍ୟକ୍ଷ

ଖଗ ଉରଗ ମାତୃଗଣ

ରକ୍ଷ ପ୍ରେତ ପିଶାଚୀଗଣ

ଭୂତ କୁଷ୍ମାଣ୍ଡ ବିନାୟକ

ଉନ୍ମଦ ବେତାଳ ନିରେକ

ଗ୍ରହ ଡାକିନୀ ମୃଗ ଖର

ବୃକ୍ଷ ପର୍ବତ ବନଘୋର

ତ୍ରିବିଧ ଚତୁର୍ବିଧ ଆନେ

କେବଳ ସ୍ଥଳ ବିନାଶନେ

ଗଗନ ଅନ୍ତରୀକ୍ଷଚର

କୁଶଳ ଅକୁଶଳ ପର

ଏତେ ପ୍ରକାରେ ନାମ ଗତି

ଆତ୍ମାର ବଳେ ପ୍ରଜାପତି

ଗୁଣ ପ୍ରଭେଦ ତିନିଲୋକ

କେ ଦେବ ଦାନବ ନରକ

ସତ୍ୟରେ ସୁରରୁପ ହୋଇ

ଲକ୍ଷେ ମନୁଷ୍ୟ ସମ୍ଭବଇ

ତମୋଗୁଣରେ ଅଧୋଗତି

ପାପିଷ୍ଠେ ତହିଁ ବିଶ୍ରାମନ୍ତି

ଏ ତିନି ଲୋକ ତିନିଗତି

ଭାବେ ସର୍ଜିଲା ପ୍ରଜାପତି

ସେ ଗୁଣ ଚିତ୍ର ପ୍ରାୟ ହୋଇ

ସ୍ୱଭାବେ ଭିନ୍ନ ଭିନ୍ନ ଦେହୀ

ଏକ ଆରକେ ନ ଗଣିଲେ

ନିଶ୍ଚଳେ ରହି ନ ପାରିଲେ

ତା ଦେଖି ପ୍ରଭୁ ନରହରି

ତକ୍ଷଣେ ଧର୍ମ ରୂପ ଧରି

ବିଶ୍ୱକୁ ପାଳିବାର ଅର୍ଥେ

ଦେବ ମନୁଷ୍ୟ ପଶୁ ଯେତେ

ଏ ତିନିଭାବେ ଭଗବାନ

ରକ୍ଷା ପୋଷଣ କରି ସ୍ଥାନ

ସୁଖ ସମ୍ଭବେ ଦିନ ହରେ

ଯେ ବିଧି ସଂସାର ବେଭାରେ

ସୃଷ୍ଟିର ଭୋଗ ଅନ୍ତେ ହରି

କାଳାଗ୍ନି ରୁଦ୍ର ରୂପ ଧରି

ଆତ୍ମାର କ୍ରୀଡ଼ା ନାଶ କରେ

ବାଳକ ପ୍ରକାର ବେଭାରେ

ସର୍ବ ହରଇ ଅବସାନେ

ଜୀମୁତ ଯେସନେ ଗଗନେ

ଯେ ଭାବେ ହରି ଗୁଣ ଯେତେ

ଦେବେ ଚିନ୍ତିବେ ଯହିଁ ଚିତ୍ତେ

ସୃଷ୍ଟିର ଆଦି ଜନ୍ମ କାଳେ

ଯେ କର୍ମ ସାଧେ ଯୋଗବଳେ

ସ୍ୱଭାବେ କର୍ମ ଯାର ନାହିଁ

ବିଷ୍ଣୁର ମାୟା ପ୍ରକାଶଇ

ଏ ବ୍ରହ୍ମ କଳ୍ପିତ ସଂସାର

ବିକଳ୍ପ ନାମଟି ଏହାର

ଏ ନିତ୍ୟ ସାଧାରଣ ବିଧି

ଯେ ପୂର୍ବ କାଳୁହିଁ ପ୍ରସିଦ୍ଧି

ଭାବେ କହିଲୁ କଳ୍ପ ଗୁଣ

ରାଜନ ସାବଧାନେ ଶୁଣ

ଶୌନକ ଉବାଚ

ହେ ସୂତ କହ ବିଷ୍ଣୁ କଥା

କ୍ଷଣେ ଛାଡ଼ିବ ମନୋବ୍ୟଥା

ପଦ୍ମ କଳ୍ପର କଥା କହ

କ୍ଷଣେ ନ ଲାଗେ ଭବ ମୋହ

ସେ ଦୁର୍ଯ୍ୟୋଧନ ଦୁଷ୍ଟ ବାଣୀ

ବିଦୁର ସଭା ମଧ୍ୟେ ଶୁଣି

କୁଟୁମ୍ବ ଆଶା ଦୂର କରି

ବନେ ପଶିଲା କି ବିଚାରି

ପୃଥିବୀ କଲା ପର୍ଯ୍ୟଟନ

ବନ ପର୍ବତ ଘୋର ବନ

କୈବଲ୍ୟ ଭାବେ ଇଚ୍ଛା କଲା

ଅନେକ ତୀର୍ଥ ସେ ଭ୍ରମିଲା

ମୈତ୍ରେୟ ମୁନି ସଙ୍ଗେ ତାର

କାହିଁ ହୋଇଲା ଏକା ସ୍ୱର

ବ୍ରହ୍ମ ସମ୍ବାଦ ବେନି ଜନେ

କରି ବଞ୍ଚିଲେ କେଉଁ ସ୍ଥାନେ

ବିଦୂର ପଚାରିଲେ ଯେତେ

ମୈତ୍ରେୟ ବୋଧିଲେ ଯେମନ୍ତେ

।।

ପୁଣି ସେ ବନ୍ଧୁତ୍ୟାଗ ଶୋକେ

ମିଳିଲା ହସ୍ତିନା କଟକେ

ପରୀକ୍ଷ ବାକ୍ୟ ଚିତ୍ତେ ଘେନି

ତାହା କହିଲେ ଶୁକ ମୁନି

ସେ ପ୍ରଶ୍ନ ଅନୁସାରେ ଯେତେ

ଶୁଣ କହିବା ଭାଗବତେ

ଶୁକ ସୌନକ ସମ୍ପାଦନ

ଶୁଣନ୍ତେ ନ ଲାଗଇ ବିଘ୍ନ

ଦ୍ୱିତୀୟସ୍କନ୍ଧେ ଭାଗବତ

ଅମୃତ ରସମୟ ଗୀତ

ସୁଜନ ପ୍ରାଣୀଙ୍କର ହିତ

କହିଲା ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଦଶଲକ୍ଷଣ କଥନେ

ନାମ ଦଶମୋଽଧ୍ୟାୟଃ ।

Image